ଟେପ୍ ବିବାଦରେ ନିରା ରାଡିଆଙ୍କୁ ବଡ଼ ଆଶ୍ବସ୍ତି, ସିବିଆଇ ଦେଲା କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟେପ୍ ବିବାଦରେ କର୍ପୋରେଟ୍ ଲବିଷ୍ଟ ନିରା ରାଡିଆଙ୍କୁ ବଡ଼ ଆଶ୍ବସ୍ତି ମିଳିଛି | ସିବିଆଇ ତାଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛି। ଶିଳ୍ପପତି, ନେତା ଓ ସରକାରୀ ଅଧିକାରୀଙ୍କ ସହ ଟ୍ୟାପ୍ ହୋଇଥିବା ନିରା ରାଡିଆଙ୍କ ବାର୍ତ୍ତାଳାପରେ କୌଣସି ଅପରାଧିକ କାର୍ଯ୍ୟର ପ୍ରମାଣ ନାହିଁ ବୋଲି ସିବିଆଇ ସୁପ୍ରିମକୋର୍ଟଙ୍କୁ କହିଛି ।ଏହି ମାମଲା ସଂକ୍ରାନ୍ତରେ ୧୪ ଟି ପ୍ରାଥମିକ ତଦନ୍ତ ମଧ୍ୟ ବନ୍ଦ କରାଯାଇଛି।

ଶିଳ୍ପପତି ରତନ ଟାଟାଙ୍କ ଏକ ପିଟିସନର ଜବାବରେ ସିବିଆଇ ଏହା କହିଛି । ନିରା ରାଡିଆ ଟେପ୍ ସାର୍ବଜନୀନ ହେବା ପରେ ଏହାର ପ୍ରତିବାଦରେ ରତନ ଟାଟା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଦର୍ଶାଇ ଏକ ପିଟିସନ ଦାୟର କରିଥିଲେ। ଶେଷଥର ପାଇଁ ଏହି ମାମଲାର ଶୁଣାଣି ୨୦୧୪ରେ ହୋଇଥିଲା ।

କୋର୍ଟ ତରଫରୁ ୨୦୧୪ରେ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ରିପୋର୍ଟ ଦାଖଲ ହୋଇଥିବା ନେଇ
ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ। ଜଷ୍ଟିସ ଡିଏ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ପିଏ ନରସିଂହା ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ ।

ଅକ୍ଟୋବର ୨୦୧୩ରେ ସର୍ବୋଚ୍ଚ ନ୍ୟାୟାଳୟ ନିରା ରାଡିଆ ଟେପ୍ ମାମଲାର ସିବିଆଇ ଦ୍ୱାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୫,୮୦୦ ରୁ ଅଧିକ ଟ୍ୟାପ୍ ହୋଇଥିବା ବାର୍ତ୍ତାଳାପର ସିବିଆଇ ୧୪ଟି ଦିଗ ଚିହ୍ନଟ କରିଥିଲା। ଟିକସ ଫାଙ୍କିବା ଘଟଣାରେ ସରକାର ୨୦୦୮ ରୁ ୨୦୦୯ ମଧ୍ୟରେ ରାଡିଆଙ୍କ କଲ୍ ଟ୍ୟାପ୍ କରିଥିଲେ। ଏହା ପରେ ସମ୍ଭାବ୍ୟ ଅପରାଧର ଯାଞ୍ଚ୍ ପାଇଁ ସିବିଆଇ ୧୪ଟି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏଗୁଡିକ ବନ୍ଦ କରାଯାଇଛି |

ଟାଟା ଷ୍ଟିଲ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୟୁନିଟେକ୍ ପରି ଅନେକ ବଡ ନାମ ସିବିଆଇର ତଦନ୍ତ ପରିସରଭୁକ୍ତ ହୋଇଥିଲେ ​​|

Comments are closed.