ମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ଚଢ଼ାଉ

 

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ପୁଣି ଚଢ଼ଉ କରିଛି। ସିସୋଦିଆ ନିଜେ ଟ୍ୱିଟ୍ କରି ଏପରି ଦାବି କରିଛନ୍ତି ।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, “ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ ।”

ସିସୋଦିଆ ଲେଖିଛନ୍ତି, “ସେମାନେ ମୋ ଘରେ ଚଢ଼ାଉ କରିଥିଲେ, ମୋ ଅଫିସରେ ଚଢ଼ାଉ କରିଥିଲେ, ମୋ ଲକରରେ ଖୋଜାଖୋଜି କରିଥିଲେ, ମୋ ଗାଁରେ ମଧ୍ୟ ସର୍ଚ୍ଚ କରିଥିଲେ। ମୋ ବିରୋଧରେ କିଛି ମିଳିଲା ନାହିଁ କି ମିଳିବ ନାହିଁ, କାରଣ ମୁଁ କିଛି ଭୁଲ କରି ନାହିଁ। ନିଷ୍ଠାର ସହ ଦିଲ୍ଲୀର ପିଲାମାନଙ୍କର ଶିକ୍ଷା ପାଇଁ କାମ କରିଛି ।

ତେବେ ସିସୋଦିଆଙ୍କ ଅଫିସରେ ଚଢ଼ାଉ ଖବରକୁ ସିବିଆଇ ତରଫରୁ ଖଣ୍ଡନ କରାଯାଇଛି । ସିସୋଦିଆଙ୍କ ଅଫିସରୁ ଏକ ଦସ୍ତାବିଜ ଆଣିବା ପାଇଁ ସିବିଆଇର କିଛି ଅଧିକାରୀ ଯାଇଥିଲେ ବୋଲି ଏହି କେନ୍ଦ୍ରୀୟ ସଂସ୍ଥା ତରଫରୁ କୁହାଯାଇଛି ।

ଏହାପୂର୍ବରୁ ମଦ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଗତ ବର୍ଷ ଅଗଷ୍ଟରେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢ଼ଉ କରିଥିଲା। ସେହି ସମୟରେ ସିସୋଦିଆ ଏବଂ ଆଇଏଏସ୍ ଅଧିକାରୀ ଏ ଗୋପିକୃଷ୍ଣଙ୍କ ଘର ସମେତ ୩୧ଟି ସ୍ଥାନରେ ଚଢାଉ କରାଯାଇଥିଲା ।

Comments are closed.