ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି । ସୋମବାର ଦିନ ୧୧ଟାରେ ପଚରାଉଚରା ପାଇଁ ହାଜର ହେବାକୁ ସିସୋଦିଆଙ୍କୁ କୁହାଯାଇଛି। ସିବିଆଇ ସମନ୍ ନେଇ ମନୀଷ ସିସୋଦିଆ ଟ୍ବିଟ୍ କରି କହିଛନ୍ତି ଯେ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ |

ସିସୋଦିଆ ଟ୍ବିଟରେ କହିଛନ୍ତି, “ମୋ ଘରେ ୧୪ ଘଣ୍ଟା ଧରି ସିବିଆଇ ରେଡ୍ ଚାଲିଥିଲା, କିଛି ବାହାରି ନଥିଲା। ମୋ ବ୍ୟାଙ୍କ ଲକରକୁ ଖୋଜିଲେ, ସେଥିରେ ମଧ୍ୟ କିଛି ବାହାରିଲା ନାହିଁ | ସେମାନେ ମୋ ଗାଁରେ କିଛି ପାଇଲେ ନାହିଁ | ଏବେ ସେମାନେ ମୋତେ ଆସନ୍ତାକାଲି ସକାଳ ୧୧ଟାରେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି। ମୁଁ ଯିବି ଓ ସମ୍ପୂର୍ଣ୍ଣ ସହଯୋଗ କରିବି | ସତ୍ୟମେବ ଜୟତେ। ”

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜେନାଙ୍କୁ ‘ଆଜିର ଭଗତ ସିଂ’ ବୋଲି ଅଭିହିତ କରିଛନ୍ତି। ସ୍ୱାଧୀନତା ପାଇଁ ଏହା ଦ୍ୱିତୀୟ ସଂଗ୍ରାମ ବୋଲି ସେ କହିଛନ୍ତି।

ଆମ୍ ଆଦମୀ ପାର୍ଟି ଅବକାରୀ ନୀତିରେ କୌଣସି ଘୋଟାଲା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଆସିଛି । ରାଜନୈତିକ ଆକ୍ରୋଶ ଯୋଗୁଁ ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ଟଣା ଯାଇଛି । ତାଙ୍କ ବିରୋଧରେ କୌଣସି ପ୍ରମାଣ ଥିଲେ ସିସୋଦିଆକୁ ଗିରଫ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗତ ମାସରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ।

Comments are closed.