ସ୍ପଷ୍ଟ କଲା ସିବିଆଇସି, ଗଙ୍ଗାଜଳ ଉପରେ ଲାଗିନି କୌଣସି ଜିଏସଟି‌

ନୂଆଦିଲ୍ଲୀ: ଗଙ୍ଗା ଜଳ ଉପରେ ସରକାର ଜିଏସଟି‌ ଲଗାଇଛନ୍ତି ବୋଲି କଂଗ୍ରେସର ଦାବି ମଧ୍ୟରେ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଗୁରୁବାର ସ୍ପଷ୍ଟୀକରଣ ଦେଇଛି । ଗଙ୍ଗା ଜଳ ଉପରେ କୌଣସି ଜିଏସଟି ଲାଗିନାହିଁ ବୋଲି ସ୍ପଷ୍ଟ କରିଛି ସିବିଆଇସି ।

ସରକାର ଗଙ୍ଗା ଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ବୋଲି କଂଗ୍ରେସ ଦାବି କରିଥିଲା ।

ସିବିଆଇସି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛି, “ଗଙ୍ଗା ଜଳ ଓ ଦେଶର ଘରେଘରେ ପୂଜାପାଠରେ ବ୍ୟବହୃତ ଅନ୍ୟାନ୍ୟ ପୂଜା ସାମଗ୍ରୀ ଗୁଡ଼ିକୁ ଜିଏସଟି ଛାଡ଼ କରାଯାଇଛି। ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରଠୁ ଏହି ସମସ୍ତ ଦ୍ରବ୍ଯ ଜିଏସଟି ପରିସର ବାହାରେ ରହିଛି |

ସିବିଆଇସି କହିବା ଅନୁସାରେ, ପୂଜା ସାମଗ୍ରୀ ଉପରେ ଜିଏସଟି ନେଇ ମେ ୧୮-୧୯, ୨୦୧୭ରେ ଅନୁଷ୍ଠିତ ଜିଏସଟି ପରିଷଦର ୧୪ତମ ବୈଠକ ଏବଂ ଜୁନ୍ ୩, ୨୦୧୭ରେ ଅନୁଷ୍ଠିତ ୧୫ତମ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏହା ପରେ ଏହି ସାମଗ୍ରୀ ଗୁଡ଼ିକୁ ଜିଏସଟି ପରିସରରୁ ବାହାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା |

ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଦାବି କରିଥିଲେ ଯେ ସରକାର ଗଙ୍ଗା ଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି। ସେ ଏହାକୁ ସରକାରଙ୍କ ‘ଲୁଣ୍ଠନ ଏବଂ କପଟତାର ଚରମ ସୀମା’ ବୋଲି ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଖଣ୍ଡ ଗସ୍ତ ବିଷୟରେ ଉଲ୍ଲେଖ କରି ଖଡ଼ଗେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି – ମୋଦୀଜୀ, ଜଣେ ସାଧାରଣ ଭାରତୀୟଙ୍କ ଜୀବନରେ ଜନ୍ମରୁ ଶେଷ ପର୍ଯ୍ୟନ୍ତ ମୋକ୍ଷ ପ୍ରଦାନକାରୀ ମାତା ଗଙ୍ଗାଙ୍କ ମହତ୍ତ୍ଵ ବେଶ୍ ଅଧିକ । ଭଲ ହେଲା ଆଜି ଆପଣ ଉତ୍ତରାଖଣ୍ଡରେ ଅଛନ୍ତି ।‌ କିନ୍ତୁ ପବିତ୍ର ଗଙ୍ଗା ଜଳ ଉପରେ ଆପଣଙ୍କ ସରକାର ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଆପଣ ଥରେ ମଧ୍ୟ ଭାବିଲେନି ଯେ ଏହି ନିଷ୍ପତ୍ତି ଦ୍ବାରା ଗଙ୍ଗା ଜଳ ମଗାଉଥିବା ଲୋକଙ୍କ ଉପରେ କେତେ ବୋଝ ପଡ଼ିବ।

Comments are closed.