ପୂର୍ଣ୍ଣ ସାମରିକ ସମ୍ମାନ ସହ ସିଡିଏସ୍ ବିପିନ୍ ରାୱତ ଓ ପତ୍ନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ । ପୂର୍ଣ୍ଣ ସାମରିକ ସମ୍ମାନ ସହ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ବରାର ସ୍କୋୟାର ଶ୍ମଶାନରେ ଜେନେରାଲ୍ ବିପିନ ରାୱତଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜେନେରାଲ ରାୱତ ଓ ପତ୍ନୀ ମଧୁଲିକାଙ୍କୁ ଲୁହ ଛଳଛଳ ଆଖିରେ ଝିଅ କ୍ରିତିକା ଓ ତାରିଣୀ ମୁଖାଗ୍ନି ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ସେଲିବ୍ରିଟି, ଅନ୍ୟ ଦେଶର ଅଧିକାରୀମାନେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନରେ ପହଞ୍ଚିଥିଲେ।

ଏହା ପୂର୍ବରୁ ଜେନେରାଲ ବିପିନ ରାୱତ ଓ ପତ୍ନୀ ମଧୁଲିକାଙ୍କ ମରଶରୀରକୁ ତାଙ୍କ କାମରାଜ ନଗର ବାସଭବନ ରୁ ବରାର ସ୍କୋୟାର ଶ୍ମଶାନକୁ ନିଆଯାଇଥିଲା। ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଶେଷ ଯାତ୍ରାରେ ବହୁ ଲୋକ ସାମିଲ ହୋଇ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ରାସ୍ତା ଦୁଇ ପାଖେ ଠିଆ ହୋଇ ଲୋକମାନେ “ ଯେପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ରହିବ, ବିପିନ୍ ରାଓ୍ବତଙ୍କ ନାମ ଅମର ରହିବ” ସ୍ଲୋଗାନ ଦେଇଥିଲେ।

ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ବାୟୁସେନାର ଏକ ଏମ୍ଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଅନ୍ୟ ୧୨ ଜଣଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାୱତ ନୀଳଗିରି ପାହାଡ଼ରେ ୱେଲିଙ୍ଗଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଷ୍ଟାଫ୍ କୋର୍ସର ଅଧ୍ୟାପକ ତଥା ଛାତ୍ର ଅଧିକାରୀଙ୍କୁ ସମ୍ବୋଧିତ କରିବାକୁ ଯାଉଥିଲେ। ଜେନେରାଲ ରାୱତ ଓ ପତ୍ନୀ ମଧୁଲିକାଙ୍କ ସହ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏଥିରେ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ବଞ୍ଚିଯାଇଥିଲେ । ସେ ବର୍ତ୍ତମାନ ଲାଇଫ ସପୋର୍ଟରେ ଅଛନ୍ତି । ଗୁରୁବାର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ୱେଲିଙ୍ଗଟନରୁ ବେଙ୍ଗାଲୁରୁ ଅଣାଯାଇଥିଲା ।

Comments are closed.