ଅନଲାଇନ୍ ଜୁଆଖେଳ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ସବୁ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ବା ଜୁଆଖେଳ ଉପରେ ବିଜ୍ଞାପନ ବନ୍ଦ କରିବାକୁ କେନ୍ଦ୍ର ସରକାର ନ୍ୟୁଜ୍ ୱେବସାଇଟ୍, ଓଟିଟି ପ୍ଲାଟଫର୍ମ ଏବଂ ଘରୋଇ ଟିଭି ଚ୍ୟାନେଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଅନଲାଇନ୍ ବେଟିଂ ବିଜ୍ଞାପନ ପ୍ରସାରଣରୁ ନିବୃତ୍ତ ରହିବା ଉଚିତ। ସରକାର କହିଛନ୍ତି ଯେ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଉପଯୁକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପରି ବିଜ୍ଞାପନ ଭାରତୀୟ ଦର୍ଶକଙ୍କୁ ନ ଦେଖାଇବାକୁ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ପୃଥକ୍ ଗାଇଡଲାଇନ ଜାରି କରାଯାଇଛି। ଡିଜିଟାଲ ମିଡିଆରେ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଦେବା ପାଇଁ ଅନଲାଇନ୍ ବିଦେଶୀ ବେଟିଂ ସଂସ୍ଥା ଗୁଡ଼ିକ ବର୍ତ୍ତମାନ ସରୋଗେଟ୍ (ଛଦ୍ମ) ଉପାୟ ଅବଲମ୍ବନ କରି ନ୍ୟୁଜ୍ ଆକାରରେ ଏହାର ପ୍ରସାରଣ କରୁଛନ୍ତି । ଏଭଳି ସ୍ଥଳେ ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଛଦ୍ମ ନ୍ୟୁଜ୍ ୱେବସାଇଟଗୁଡିକର ଲୋଗୋ ବ୍ୟାଟିଂ ପ୍ଲାଟଫର୍ମ ଲୋଗୋ ସହ ସମାନ।

ଏଥିସହ ମନ୍ତ୍ରଣାଳୟ କହିଛି ଯେ ଭାରତର କୌଣସି ବେଟିଂ ପ୍ଲାଟଫର୍ମ ଅଥବା ନ୍ୟୁଜ୍ ୱେବସାଇଟ୍ ବୈଧାନିକ ପ୍ରାଧିକରଣ ଅଧୀନରେ ପଞ୍ଜିକୃତ ହୋଇନାହାଁନ୍ତି । ଏହିପରି ୱେବସାଇଟ୍ ଗୁଡିକ ଖବର ପ୍ରସାରଣ ନାମରେ ଛଦ୍ମ-ବିଜ୍ଞାପନ ଆକାରରେ ବେଟିଂ ତଥା ଜୁଆ ଖେଳକୁ ପ୍ରୋତ୍ସାହିତ କରୁଛନ୍ତି | ଏହାଛଡ଼ା ଖାଉଟି ବ୍ୟାପାର ବିଭାଗ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ଗୁଡିକର ଏକ ସାଙ୍କେତିକ ତାଲିକା ମଧ୍ୟ ଜାରି କରିଛି ଯାହା ଖବର ପରିବେଷଣ ଆଳରେ ଜୁଆଖେଳ ସମ୍ପର୍କିତ ଛଦ୍ମ ବିଜ୍ଞାପନ ପ୍ରସାରଣ କରୁଛନ୍ତି ।

Comments are closed.