ଏୟାର ଇଣ୍ଡିଆକୁ ଟାଟା କିଣିଥିବା ଖବରକୁ କେନ୍ଦ୍ର ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ଅଧିଗ୍ରହଣ ପାଇଁ ଟାଟା ଗ୍ରୁପ୍‌ର ବିଡକୁ ମଞ୍ଜୁରି ଦିଆଯାଇଥିବା ଖବରକୁ ସରକାର ଖଣ୍ଡନ କରିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଏୟାର ଇଣ୍ଡିଆ ଅଧିଗ୍ରହଣ ପାଇଁ ଟାଟା ଗ୍ରୁପ୍‌ର ଆର୍ଥିକ ବିଡ୍‌ କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏଭଳି ଖବର ଭୁଲ ବୋଲି ଶୁକ୍ରବାର କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ (ଡିପିଏଏମ୍) ଏକ ଟୁଇଟ୍ ଜରିଆରେ କହିଛି ଯେ, ସରକାର ଏୟାର ଇଣ୍ଡିଆର ବିନିବେଶ ମାମଲାରେ ଆର୍ଥିକ ବିଡ଼କୁ ଅନୁମୋଦନ କରିଥିବା ନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ଭୁଲ ଅଟେ। ସରକାର ଏ ବାବଦରେ ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଏଥିରେ କୁହାଯାଇଛି ।

ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟ୍ ଆର୍ଥିକ ବିଡ୍ ଦାଖଲ କରିଛନ୍ତି। ସରକାର ନିକଟରେ କହିଥିଲେ ଯେ ଟାଟା ଏବଂ ସ୍ପାଇସଜେଟର ଆର୍ଥିକ ବିଡର ମୂଲ୍ୟାୟନ ଆରମ୍ଭ ହୋଇଛି। ଏହା ସହିତ ସରକାରୀ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି | ଏହି ଚୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସରକାର ଇଚ୍ଛୁକ।

ଏକ ରିପୋର୍ଟ ଅନୁଯାୟୀ, ଅଘୋଷିତ ରିଜର୍ଭ ମୂଲ୍ୟ ଆଧାରରେ ଆର୍ଥିକ ବିଡର ମୂଲ୍ୟାୟନ କରାଯାଉଛି। ଯେଉଁ ବିଡ଼ରେ ଦିଆଯାଇଥିବା ମୂଲ୍ୟ ଷ୍ଟାଣ୍ଡାର୍ଡ ମୂଲ୍ୟଠାରୁ ଅଧିକ, ତାହା ଗ୍ରହଣ କରାଯିବ | ଯଦି ଟାଟାର ବିଡ୍ ସଫଳ ହୁଏ, ତେବେ ଏୟାର ଇଣ୍ଡିଆ ୬୭ ବର୍ଷ ପରେ ଟାଟା ଗ୍ରୁପ୍ ଅଧୀନକୁ ଆସିବ |

Comments are closed.