ଏବେ ଏହି ମାମଲାରେ ସିବିଆଇ ଟାର୍ଗେଟରେ ସିସୋଦିଆ, ମକଦ୍ଦମା ଚଳାଇବାକୁ କେନ୍ଦ୍ର ଦେଲା ଅନୁମତି

ନୂଆଦିଲ୍ଲୀ: ମଦ ଦୁର୍ନୀତି ପରେ ଏବେ ଜାସୁସି ମାମଲାରେ ସିବିଆଇ ଟାର୍ଗେଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିବିଆଇକୁ ଅନୁମତି ଦେଇଛି। ବିରୋଧୀ ଦଳ ନେତାଙ୍କ ଉପରେ ବେଆଇନ ଜାସୁସି ଅଭିଯୋଗରେ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇ ଅନୁମତି ମାଗିଥିଲା। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଏହାକୁ ଅନୁମୋଦନ ପାଇଁ ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ।

କେଜ୍ରିୱାଲ ସରକାର ୨୦୧୫-୧୬ ମସିହାରେ ନିୟମ ଉଲ୍ଲଂଘନ ପୂର୍ବକ ‘ଫିଡବ୍ୟାକ୍ ୟୁନିଟ’ ଗଠନ କରିଥିଲେ। ଅଭିଯୋଗ ହୋଇଛି ଯେ ଫିଡବ୍ୟାକ୍ ୟୁନିଟ୍ ଜରିଆରେ ରାଜନୈତିକ ବ୍ୟକ୍ତିଙ୍କ ଉପରେ ଜାସୁସି କରାଯାଇଥିଲା ​​। ସେତେବେଳେ ମନୀଷ ସିସୋଦିଆ ଭିଜିଲାନ୍ସ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ଅଧୀନରେ ଏହି ‘ଫିଡବ୍ୟାକ୍ ୟୁନିଟ’ କାର୍ଯ୍ୟ କରୁଥିଲା।

ଏହାପୂର୍ବରୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ଘର, ଅଫିସରେ ଚଢ଼ାଉ କରିଥିଲା। ପୁଣି ଫେବୃଆରୀ ୨୬ରେ ହାଜର ହେବାକୁ ସିବିଆଇ ତାଙ୍କୁ ଡାକିଛି। ଏବେ ସିବିଆଇ ତାଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିବାକୁ ଯାଉଛି। ଏଭଳି ସ୍ଥିତିରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିପାରେ।

Comments are closed.