ବିଜେପିର ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କୁ ଓ୍ବାଇ + ସୁରକ୍ଷା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ହାଇଦ୍ରାବାଦ ଆସନରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ ମୁସଲିମୀନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସିଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହୋଇଥିବା ଡକ୍ଟର ମାଧବୀ ଲତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ୍ବାଇ + କାଟେଗୋରୀ ସୁରକ୍ଷା ଦେଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ମାଧବୀଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ମାଧବୀଙ୍କ ସୁରକ୍ଷାରେ ଏବେ ୧୧ ପୋଲିସ୍ କମାଣ୍ଡୋ ମୁତୟନ ହେବେ।

ନିକଟରେ ବିଜେପି ତାଙ୍କୁ ଓଓ୍ବେସିଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିବା ପରେ ମାଧବୀ ଲତା ଚର୍ଚ୍ଚାର ପରିସରକୁ ଆସିଥିଲେ । ପେସାରେ ଡ଼ାକ୍ତର ମାଧବୀ ଲତା ଜଣେ ହିନ୍ଦୁତ୍ବବାଦୀ ଚେହେରା ଭାବେ ପରିଚିତ ।

ହାଇଦ୍ରାବାଦ ‘ଏଆଇଏମ୍ଆଇଏମ୍’ର ଗଡ଼ ରହି ଆସିଛି। ଏହି ଲୋକସଭା ଆସନ ୧୯୮୪ ମସିହାରୁ ଓଓ୍ବେସିଙ୍କ ପରିବାର ନିୟନ୍ତ୍ରଣରେ ରହିଆସିଛି | ଅସଦୁଦ୍ଦିନ ଓଓ୍ବେସିଙ୍କ ବାପା ସୁଲତାନ ସଲାହୁଦ୍ଦିନ ୧୯୮୪ରେ ପ୍ରଥମ ଥର ଏହି ଆସନରୁ ଲୋକସଭା ନିର୍ବାଚନ ଜିତିଥିଲେ। ସେ ହାଇଦ୍ରାବାଦରୁ ୨୦ ବର୍ଷ ଧରି ସାଂସଦ ରହିଥିଲେ। ଏହା ପରେ ଅସଦୁଦ୍ଦିନ ଓଓ୍ବେସି ଏହି ଆସନର ଲଗାତାର ଜିତି ଆସୁଛନ୍ତି । ଏଥର ଓଓ୍ବେସିଙ୍କ ବିରୋଧରେ ବିଜେପି ମାଧବୀ ଲତାଙ୍କୁ ମଇଦାନକୁ ଓହ୍ଲାଇଛି ।

Comments are closed.