କଲେଜିୟମର ସୁପାରିସ ସତ୍ତ୍ବେ ଜନ୍ ସତ୍ୟନଙ୍କୁ ଜଜ୍ ଭାବେ ନିଯୁକ୍ତି ଦେଲାନି କେନ୍ଦ୍ର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲେଖିଥିଲେ ଆର୍ଟିକଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ମାର୍ଚ୍ଚ ୨୧ରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଓକିଲ ଜନ୍ ସତ୍ୟନଙ୍କୁ ମାଡ୍ରାସ ହାଇକୋର୍ଟର ଜଜ୍ ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ସତ୍ୟନଙ୍କୁ ପଦୋନ୍ନତି ଦେଇ ନାହାଁନ୍ତି । ସତ୍ୟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଆର୍ଟିକଲ ଲେଖିଥିଲେ। ଏହି କାରଣରୁ ତାଙ୍କ ପଦୋନ୍ନତି ସଂକ୍ରାନ୍ତ କଲେଜିୟମ ସୁପାରିସକୁ କେନ୍ଦ୍ର ସରକାର ଏଡାଇ ଦେଇଛନ୍ତି ।

ଜାନୁଆରୀ ୧୭ରେ କଲେଜିୟମ ସତ୍ୟନଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। କିନ୍ତୁ ଫେବୃଆରୀ ୯ରେ କରାଯାଇଥିବା କଲେଜିୟମର ତିନୋଟି ସୁପାରିସକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ସତ୍ୟନଙ୍କୁ ବିଚାରପତି କରିବା ନେଇ କୌଣସି ନିର୍ଦ୍ଦେଶ ଜାରି ହୋଇ ନାହିଁ। ଏଥିରୁ ସ୍ପଷ୍ଟ ଯେ କଲେଜିୟମ ସହ ମୁହାଁମୁହିଁ ପ୍ରସଙ୍ଗରେ କେନ୍ଦ୍ର ପଛଘୁଞ୍ଚା ଦେଉନାହିଁ କି କଲେଜିୟମର ଚେତାବନୀକୁ ମଧ୍ୟ ଗମ୍ଭୀରତାର ସହ ନେଉ ନାହିଁ ।

ଫେବୃଆରୀ ୯ରେ କଲେଜିୟମ କରିଥିବା ସୁପାରିସକୁ କେନ୍ଦ୍ର ୨୪ ଦିନ ପରେ ଅନୁମୋଦନ କରିଛି । ତିନି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ପଦୋନ୍ନତି ଦିଆଯାଇଥିବା ବେଳେ ପ୍ରୀତିନକର ଦିୱାକରଙ୍କୁ ସେଠାକାର ମୁଖ୍ୟ ବିଚାରପତି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଜଜ୍ ରମେଶ ସିହ୍ନାଙ୍କୁ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ବିଜ୍ଞପ୍ତି ଜାରି କରିଛି। କେରଳ ହାଇକୋର୍ଟର ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି।

ମାଡ୍ରାସ୍ ହାଇକୋର୍ଟର ବିଚାରପତି ଭାବରେ ଓକିଲ ଜନ୍ ସତ୍ୟନଙ୍କୁ ନିଯୁକ୍ତି ନଦେବା ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଅନ୍ୟ ସୁପ୍ରିମକୋର୍ଟର ଅନ୍ୟ ଦୁଇଜଣ ଜଜ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଆର୍ଟିକଲ ଲେଖିଥିବାରୁ ସତ୍ୟନଙ୍କୁ ପଦୋନ୍ନତିକୁ ଅନୁମୋଦନ ନ କରିବା ଦୁର୍ଭାଗ୍ୟଜନକ ବୋଲି କଲେଜିୟମ କହିଛି । ଏହା ସହ କେନ୍ଦ୍ରର ଏପରି ଜିଦଖୋର ଆଭିମୁଖ୍ୟକୁ ସମାଲୋଚନା କରିଛି। ଯେତେବେଳେ କଲେଜିୟମ ସତ୍ୟମଙ୍କର ଏହି ଭୁଲ୍ ଓଭର ରୁଲ୍ କରିସାରିଥିଲା ତେବେ କେନ୍ଦ୍ର କାହିଁକି ତାଙ୍କୁ ଜଜ୍ ଭାବେ ପଦୋନ୍ନତି ଦେଲା ନାହିଁ ବୋଲି କଲେଜିୟମ ପ୍ରଶ୍ନ କରିଛି ।

Comments are closed.