ନୂଆଦିଲ୍ଲୀ: ଆଗାମୀ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରିଛି । ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ମାନଙ୍କୁ କୁହାଯାଇଛି। ଆସନ୍ତାକାଲି (ଏପ୍ରିଲ ୬) ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯିବ।
ରାମନବମୀ ଦିନ ବିହାର ଓ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ବ୍ୟାପକ ହିଂସା ଘଟିଥିଲା । ତେଣୁ କେନ୍ଦ୍ର ହନୁମାନ ଜୟନ୍ତୀ ପାଇଁ ଆଲର୍ଟ ମୋଡକୁ ଆସିବା ସହ ସବୁ ରାଜ୍ୟକୁ କଡା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ଆଇନ ଶୃଙ୍ଖଳା ବଜାୟ ରଖିବାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଛି କେନ୍ଦ୍ର।
ରାମ ନବମୀ ଦିନ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସାର ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶମିତ ହୋଇନାହିଁ | ବିଶେଷକରି ପଶ୍ଚିମବଙ୍ଗର ହୁଗଳି ଓ ହାଓ୍ବଡାରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।
ଅନ୍ୟପକ୍ଷରେ କଲିକତା ହାଇକୋର୍ଟ ମଧ୍ୟ ହନୁମାନ ଜୟନ୍ତୀ ଦୃଷ୍ଟିରୁ ବୁଧବାର (ଏପ୍ରିଲ ୪) ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରଠୁ ଫୋର୍ସ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ପୋଲିସ୍ ଫୋର୍ସ ପର୍ଯ୍ୟାପ୍ତ ନୁହେଁ ତେବେ ସରକାର ପାରାମିଲିଟାରୀ ଫୋର୍ସର ସାହାଯ୍ୟ ନେଇପାରିବେ | କାରଣ ଆମ ପାଇଁ ନାଗରିକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ କହିଛନ୍ତି |
ସେପଟେ ଦିଲ୍ଲୀରେ ମଧ୍ୟ ହନୁମାନ ଜୟନ୍ତୀକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାହାଙ୍ଗୀରପୁରୀରେ ଦିଲ୍ଲୀ ପୋଲିସ ତରଫରୁ ଫ୍ଲାଗ୍ ମାର୍ଚ କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ବିଶାଳ ଶୋଭାଯାତ୍ରା କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକୁ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି ।
Comments are closed.