ମଙ୍କିପକ୍ସ ସଂକ୍ରମଣ ରୋକିବାକୁ କେନ୍ଦ୍ର ଜାରି କଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସ ମାମଲା ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀରୁ ବଞ୍ଚବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ମାର୍ଗଦର୍ଶିକା ଜାରି କରିଛି ।

ମନ୍ତ୍ରଣାଳୟ କହିଛି ଯେ ଯଦି ଜଣେ ବ୍ୟକ୍ତି ଆକ୍ରାନ୍ତଙ୍କ ସହ ଦୀର୍ଘ ସମୟ କିମ୍ବା ବାରମ୍ବାର ସଂସ୍ପର୍ଶରେ ଆସେ, ତେବେ ସେ ମଧ୍ୟ ସଂକ୍ରମିତ ହେଇପାରେ ।

ସଂକ୍ରମଣରୁ ବଞ୍ଚିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରରେ ରଖାଯିବା ଉଚିତ ବୋଲି ମନ୍ତ୍ରଣାଳୟ କହିଛି। ଏହା ବ୍ୟତୀତ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର, ସାବୁନ୍ ଏବଂ ପାଣିରେ ହାତ ଧୋଇବା, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ଭଳି ଏପରି କିଛି ଉପାୟ ଅଛି ଯାହା ଦ୍ବାରା ଏହି ରୋଗରୁ ବଞ୍ଚି ହେବ । ଏହାଛଡ଼ା ଆଖପାଖ ଅଞ୍ଚଳ ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ଏଥିରେ କୁହାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ସଂକ୍ରମିତ ଲୋକଙ୍କ ରୁମାଲ, ଶଯ୍ୟା, ପୋଷାକ, ତଉଲିଆ ଏବଂ ଅନ୍ୟ ଜିନିଷ ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ।

ଏହାସହ ରୋଗୀ ଏବଂ ଅଣ ସଂକ୍ରମିତ ବ୍ୟକ୍ତିଙ୍କ ମଇଳା ପୋଷାକକୁ ଏକାଠି ନ ଧୋଇବା ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ମନ୍ତ୍ରଣାଳୟ କହିଛି, ସଂକ୍ରମିତ ଏବଂ ସନ୍ଦିଗ୍ଧ ରୋଗୀଙ୍କ ମଧ୍ୟରେ ଭେଦଭାବ କରିବା ଠିକ୍ ନୁହେଁ। ଏହାଛଡ଼ା କୌଣସି ଗୁଜବ କିମ୍ବା ଭୁଲ୍ ସୂଚନା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.