ଦିଲ୍ଲୀ ପ୍ରଦୂଷଣ: ‘ଓ୍ବାର୍କ ଫ୍ରମ୍ ହୋମ’ ସପକ୍ଷରେ ନାହିଁ କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ଚିନ୍ତାଜନକ ପ୍ରଦୂଷଣ ସମସ୍ୟା ମଧ୍ୟରେ କେନ୍ଦ୍ର କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍ ହୋମ’ ବା ‌ଘରୁ କାମ କରିବାକୁ ପରାମର୍ଶ ଦିଆଯାଉ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି । କେନ୍ଦ୍ର ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟକୁ କହିଛି ଯେ, ନିକଟ ଅତୀତରେ କରୋନା ମହାମାରୀ ଯୋଗୁଁ ସରକାରୀ କାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି। ତେଣୁ ‘ଓ୍ବାର୍କ ଫ୍ରମ୍ ହୋମ’ ଠିକ୍ ବିକଳ୍ପ ହେବନାହିଁ । ତେବେ କାରପୁଲିଂ ଭଳି ବିକଳ୍ପ ସମ୍ପର୍କରେ ନିଜ କର୍ମଚାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି ।

ଏହାପୂର୍ବରୁ ସୋମବାର ଅନୁଷ୍ଠିତ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍ ହୋମ’ ଉପରେ ବିଚାର କରିବାକୁ କହିଥିଲେ। ଏହାର ଜବାବରେ କେନ୍ଦ୍ର କହିଛି ଯେ, ଘରଠାରୁ କାମ କରିବା ପ୍ରଦୂଷଣର ସ୍ତରରେ କୌଣସି ପ୍ରଭାବ ପକାଇବ ନାହିଁ |

ଗତକାଲି ରାତିରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ କହିଛନ୍ତି ଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ଉଲ୍ଲେଖଯୋଗ୍ୟ ଯେ, ଦୀପାବଳି ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଉଛି।

Comments are closed.