ସଂସଦରେ ରାଜନାଥ ସିଂହଙ୍କ ସୂଚନା, ତିନି ସେନା ଦ୍ବାରା ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ତିନି ସେନାର ଏକ ମିଳିତ ଟିମ୍ ତାମିଲନାଡୁର କୁନୁରରେ ବୁଧବାର ଘଟିଥିବା ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦର ଉଭୟ ଗୃହରେ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେନା ହେଲିକପ୍ଟର ଦୁର୍ଘଟଣା ନେଇ ରାଜନାଥ ସିଂ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟସଭାରେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସିଡିଏସ୍ ଜେନେରାଲ ବିପିନ ରାୱତ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜର ଛାତ୍ରମାନଙ୍କୁ ସମ୍ବୋଧିତ କରିବା ପାଇଁ ବୁଧବାର ପୂର୍ବ ନିର୍ଦ୍ଧାରିତ ଗସ୍ତରେ ଯାଇଥିଲେ।

ସିଂଙ୍କ ସୂଚନା ଅନୁଯାୟୀ, ଜେନେରାଲ ରାୱତ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୨ ଜଣଙ୍କ ସହ ଏମ୍ଆଇ -୧୭ଭି୫ ହେଲିକପ୍ଟରରେ ଦିନ ୧୧:୪୮ରେ ସୁଲୁରରୁ ଉଡ଼ାଣ ଆରମ୍ଭ କରିଥିଲା। ହେଲିକପ୍ଟରଟି ୧୨:୧୫ ରେ ୱେଲିଙ୍ଗଟନରେ ପହଞ୍ଚିଥାଆନ୍ତା। ତେବେ ୧୨:୦୮ ରେ ହେଲିକପ୍ଟର ସହିତ ସୁଲୁର ଏୟାର ଟ୍ରାଫିକ କଣ୍ଟ୍ରୋଲର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା | ପରେ ସ୍ଥାନୀୟ ଲୋକମାନେ କୁନୁର ନିକଟ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ହେଲିକପ୍ଟରଟି ନିଆଁରେ ଜଳୁଛି ଏବଂ ପରେ ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲା।

ଲୋକଙ୍କୁ ହେଲିକପ୍ଟରରୁ ବାହାର କରି ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ହେଲିକପ୍ଟରରେ ଥିବା ମୋଟ ୧୪ ଜଣଙ୍କ ମଧ୍ୟରୁ ସିଡିଏସ୍ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ ୧୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସିଂ କହିଛନ୍ତି ଯେ ଦୁର୍ଘଟଣାରେ ଅନ୍ୟ ମୃତକଙ୍କ ମଧ୍ୟରେ ରାଓ୍ବତଙ୍କ ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗାଡିୟର ଲାଖୱିନ୍ଦର ସିଂ ଲିଡର, ସିଡିଏସର ସାମରିକ ପରାମର୍ଶଦାତା ତଥା କର୍ମଚାରୀ ଅଧିକାରୀ ୱିଙ୍ଗ କମାଣ୍ଡର ପ୍ରତୀକ ସିଂ ଚୌହାନ, ସ୍କ୍ବାଡ୍ରୋନ ଲିଡର କୁଲଦୀପ ସିଂ, ଜୁନିଅର ୱାରେଣ୍ଟ ଅଫିସର ରାଣା ପ୍ରତାପ ଦାସ, ଜୁନିୟର ଅଧିକାରୀ ଆରାକାଲ ପ୍ରଦୀପ, ହାବିଲଦାର ସତପାଲ୍, ନାଏକ ଗୁରସେବକ ସିଂ, ନାଏକ ଜୀତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର ଓ ଲାନ଼ସ ନାଏକ ବୀର ସାଇ ତେଜା ଅଛନ୍ତି ।

ସେ କହିଛନ୍ତି ଯେ ଦୁର୍ଘଟଣାରେ ଏକମାତ୍ର ଜୀବିତ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ କହିଛନ୍ତି ଯେ ଦିବଂଗତ ସେନା ଅଧିକାରୀଙ୍କ ମୃତଦେହକୁ ଆଜି ସନ୍ଧ୍ୟା ସୁଦ୍ଧା ବାୟୁସେନା ବିମାନ ଯୋଗେ ଦିଲ୍ଲୀ ଅଣାଯିବ। ଜେନେରାଲ ରାୱତଙ୍କୁ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ। ସେ କହିଛନ୍ତି ଯେ ମୃତ ଅନ୍ୟ ସେନା କର୍ମଚାରୀଙ୍କ ଶେଷକୃତ୍ୟ ମଧ୍ୟ ସାମରିକ ସମ୍ମାନ ସହିତ କରାଯିବ।

ନିଜ ତଥା ସମଗ୍ର ଦେଶ ତରଫରୁ ମୃତ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Comments are closed.