ସମଲିଙ୍ଗୀ ବିବାହ ମାମଲା: ରାଜ୍ୟମାନଙ୍କ ମତାମତ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲା ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଆଜି ବି ଶୁଣାଣି ହେଉଛି । କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଏକ ସାନି ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମତାମତ ମଧ୍ୟ ନିଆଯାଉ ବୋଲି ଦାବି କରିଛନ୍ତି । କାରଣ ବିବାହ ଭଳି ପ୍ରସଙ୍ଗ ସମ୍ବିଧାନର ସମବର୍ତ୍ତି ତାଲିକାରେ‌ ସ୍ଥାନ ପାଇଛି ।

କେନ୍ଦ୍ର ସରକାର ଦାଖଲ କରିଥିବା ସାନି ସତ୍ୟପାଠରେ କୁହାଯାଇଛି ଯେ ବିବାହ ଏପରି ଏକ ପ୍ରସଙ୍ଗ ଯାହା ବ୍ୟବସ୍ଥାପିକା ଅଧୀନରେ ଆସେ। ଏଭଳି ପରିସ୍ଥିତିରେ କୌଣସି ନିଷ୍ପତ୍ତି ରାଜ୍ୟର ଅଧିକାର ଉପରେ ପ୍ରଭାବ ପକାଇପାରେ। ବିଶେଷ କରି ଏହି ପ୍ରସଙ୍ଗରେ କୌଣସି ଆଇନ ପ୍ରସ୍ତୁତ କରିବା ରାଜ୍ୟଗୁଡ଼ିକର ଅଧିକାରକୁ ପ୍ରଭାବିତ କରିବ । ଏଭଳି ପରିସ୍ଥିତିରେ ରାଜ୍ୟ ଗୁଡ଼ିକର ମତ ମଧ୍ୟ ଆବଶ୍ୟକ।

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ନେଇ ଆଜି ଲଗାତାର ଦ୍ୱିତୀୟ ଦିନ ଶୁଣାଣି ଆରମ୍ଭ ହେବା ପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କହିଥିଲେ ଯେ ଆମେ (କେନ୍ଦ୍ର ସରକାର) ଅନ୍ ରେକର୍ଡ ଏକ ଦସ୍ତାବିଜ ଦେଇଛୁ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି ସେମାନଙ୍କ ମତାମତ ଲୋଡିଛନ୍ତି।

ସଲିସିଟର ଜେନେରାଲଙ୍କ ଏହି କଥା ଶୁଣି ପ୍ରଧାନ ବିଚାରପତି କହିଥିଲେ – ବଢ଼ିଆ, ତାହେଲେ ରାଜ୍ୟମାନେ ମଧ୍ୟ ଏହା ବିଷୟରେ ଜାଣିସାରିଲେଣି ।

ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସେମାନଙ୍କ ମତାମତ ଜଣାଇବାକୁ ରାଜ୍ୟ ମାନଙ୍କୁ ୧୦ ଦିନ ସମୟ ଦେଇଛନ୍ତି କେନ୍ଦ୍ର ସରକାର, ଯାହାଫଳରେ ସେମାନଙ୍କ ମତ ସୁପ୍ରିମକୋର୍ଟରେ ରଖାଯାଇ ପାରିବ ।

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିବାକୁ କେନ୍ଦ୍ର ତୀବ୍ର ବିରୋଧ କରିଛି । ସମଲିଙ୍ଗୀ ବିବାହକୁ ଭାରତୀୟ ସଂସ୍କୃତିର ପରିପନ୍ଥୀ । ଏହା ଏକ ସହରୀ ସମ୍ଭ୍ରାନ୍ତବାଦୀ ଚିନ୍ତାଧାରା ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହାଛଡ଼ା ସରକାରଙ୍କ ଯୁକ୍ତି ହେଲା ଯେ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ଅଧିକାର କେବଳ ବ୍ୟବସ୍ଥାପିକାର ରହିଛି ‌‌।

ବିବାହ ନେଇ ସମ୍ବିଧାନ କ’ଣ କହୁଛି?

ପ୍ରଚଳିତ ନିୟମ ଅନୁଯାୟୀ, ଭାରତୀୟ ସମ୍ବିଧାନ କେବଳ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହକୁ ଅନୁମତି ଦେଇଛି । ଭାରତରେ ବିବାହ ସମ୍ବନ୍ଧରେ ଚାରି ପ୍ରକାରର ନିୟମ ଅଛି; ହିନ୍ଦୁ ବିବାହ ଆଇନ, ଖ୍ରୀଷ୍ଟିଆନ ବିବାହ ଆଇନ, ମୁସଲିମ ବିବାହ ଆଇନ ଏବଂ ସ୍ୱତନ୍ତ୍ର ବିବାହ ଆଇନ। ଦେଶର ଦୁଇଜଣ ପ୍ରାପ୍ତ ବୟସ୍କ ବିଷମଲିଙ୍ଗୀ ନାଗରିକ ଗୋଟିଏ ବିବାହ ପ୍ରମାଣପତ୍ର ସହ ନିଜକୁ ବିବାହିତ ବୋଲି ଘୋଷଣା କରିପାରିବେ |

Comments are closed.