ଓମିକ୍ରନ୍ ଆତଙ୍କ: କେନ୍ଦ୍ର ଜାରି କଲା ନୂଆ ଗାଇଡ ଲାଇନ୍, ଆବଶ୍ୟକ ସ୍ଥଳେ କଟକଣା ଲଗାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ନୂଆ ଗାଇଡ ଲାଇନ୍ ଜାରି କରିଛନ୍ତି । ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ କଟକଣା ଲାଗୁ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ନୂଆ ଗାଇଡ୍ ଲାଇନରେ କୁହାଯାଇଛି ଯେ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ କୋଭିଡ୍ ନିୟମ ସ୍ଥିର କରିବେ । ସ୍ଥାନୀୟ ସ୍ତରରେ ଆବଶ୍ୟକ ହେଲେ କଟକଣା ଲଗାଇବେ। ପାର୍ବଣ ଋତୁରେ ଜନସମାବେଶ ଉପରେ ରୋକ୍ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି |

କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକାରେ ୫ଟି ମନ୍ତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଟେଷ୍ଟ, ଟ୍ରାକିଂ, ଟ୍ରିଟମେଣ୍ଟ, ଟିକାକରଣ ଏବଂ କରୋନା ପ୍ରୋଟୋକଲ ପାଳନ ଉପରେ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କହିଛି।

ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ପୁଣି ଥରେ କଟକଣା ଲାଗୁ କରାଯାଇଛି | ଦିଲ୍ଲୀ, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ, ଜନସାଧାରଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସଭାସମିତି ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

ଦେଶରେ ଓମିକ୍ରନ୍ ମାମଲା ବଢ଼ିଚାଲିଛି । ଗୋଟିଏ ଦିନରେ ଓମିକ୍ରନର ସର୍ବାଧିକ ୧୫୬ଟି ମାମଲା ରିପୋର୍ଟ ହୋଇଛି ଏବଂ ଏହା ସହିତ ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଜାରି ତଥ୍ୟରେ କହିଛି ଯେ ଓମିକ୍ରନ୍ ସଂକ୍ରମିତ ୫୭୮ ଜଣଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.