ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର, ‘କୋ-ୱିନ୍’ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍’ ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟୀକାକରଣ ପାଇଁ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଭୋଟିଂ କାର୍ଡ, ରେସନ କାର୍ଡ ସମେତ ନଅଟି ପରିଚୟପତ୍ର ମଧ୍ୟରୁ କେବଳ ଗୋଟିଏ ରହିବା ବାଧ୍ୟତାମୂଳକ ଅଟେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ବିବୃତ୍ତି ଉପରେ ଧ୍ୟାନ ଦେଇଥିଲେ ଏବଂ ସିଦ୍ଧାର୍ଥଶଙ୍କର ଶର୍ମାଙ୍କ ଆବେଦନର ଫଇସଲା କରିଛନ୍ତି। ‘କୋ-ୱିନ୍’ ପ୍ଲାଟଫର୍ମରେ କୋଭିଡ-୧୯ ଟିକାକରଣ ପାଇଁ ପଞ୍ଜିକରଣ କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି ବୋଲି ଆବେଦନରେ ଦର୍ଶାଯାଇଥିଲା ।

ଏହି ଆବେଦନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୨୧ ଅକ୍ଟୋବର ୧ ରେ କେନ୍ଦ୍ର ସରକାରଙ୍କୁ ଏକ ବିଜ୍ଞପ୍ତି ଜାରି କରିଥିଲେ ।

ଖଣ୍ଡପୀଠ କହିଛନ୍ତି, “ଅକ୍ଟୋବର ୧, ୨୦୨୧ର ଏହି କୋର୍ଟର ଆଦେଶ ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ସତ୍ୟପାଠ ଦାଖଲ କରିଛି । ଏଥିରେ କୁହାଯାଇଛି ଯେ ‘କୋ-ୱିନ୍’ ପ୍ଲାଟଫର୍ମରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ଏବଂ ନଅଟି ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦ୍ବାରା ପଞ୍ଜୀକରଣ କରାଯାଇ ପାରିବ | ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ ପରିଚୟପତ୍ର ନଥିବା ଅନ୍ୟ ବର୍ଗର ଲୋକ ଯେପରିକି ଜେଲର ଅନ୍ତେବାସୀ, ସ୍ୱାସ୍ଥ୍ୟ କେନ୍ଦ୍ରର ମାନସିକ ବ୍ୟକ୍ତି ଆଦିଙ୍କ ପାଇଁ ମଧ୍ୟ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରର କୋର୍ଟଙ୍କୁ କହିଛି ଯେ ପରିଚୟ ପତ୍ର ବିନା ପ୍ରାୟ ୮୭ ଲକ୍ଷ ଲୋକଙ୍କ ଟିକାକରଣ କରାଯାଇଛି। ଆଧାର କାର୍ଡ ନ ଥିବାରୁ ତାଙ୍କୁ ଘରୋଇ ଟିକା କେନ୍ଦ୍ର ଟିକାକରଣରୁ ବଞ୍ଚିତ କରିଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସତ୍ୟପାଠରେ ଏନେଇ ଦ୍ବନ୍ଦ୍ବ ଦୂର ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାରାଷ୍ଟ୍ରର ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) କୁ ଏକ ଚିଠି ପଠାଇ ସଂପୃକ୍ତ ବେସରକାରୀ ଟିକାକରଣ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ଅଭିଯୋଗ ଠିକ୍ ଭାବରେ ସମାଧାନ ହୋଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀମାନେ ସରକାରଙ୍କ ନୀତି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍।

ଭାରତର ନାଗରିକଙ୍କୁ ଦିଆଯାଇଥିବା ଟିକାକରଣର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପୂର୍ବରୁ ପ୍ରକାଶ ପାଇଥିବା ନିୟମ / ନୀତିର ପ୍ରଭାବଶାଳୀ ତଥା ଭେଦଭାବହୀନ କାର୍ଯ୍ୟାନ୍ୱୟନ ପାଇଁ ନିବେଦନ କରାଯାଇଥିଲା ।

Comments are closed.