‘କେନ୍ଦ୍ରର ଟିକାକରଣ ଯୋଜନା ଭାରତରେ ଦୁଇ ଶ୍ରେଣୀର ନାଗରିକ ସୃଷ୍ଟି କରିଛି’, କୋଭାକ୍ସିନର ସୀମିତ ମାନ୍ୟତା ନେଇ କେରଳ ହାଇକୋର୍ଟଙ୍କ ମନ୍ତବ୍ୟ

କୋଚି: କେନ୍ଦ୍ରର ଟିକାକରଣ ଯୋଜନା ଭାରତରେ ଦୁଇ ଶ୍ରେଣୀର ନାଗରିକ ସୃଷ୍ଟି କରିଛି । ଯେଉଁମାନେ କୋଭାକ୍ସିନ ଟିକା ନେଉଛନ୍ତି ସେମାନଙ୍କ ଗତିବିଧି ସୀମିତ ଏବଂ ଯେଉଁମାନେ କୋଭିଶିଲ୍ଡ ଗ୍ରହଣ କରିଛନ୍ତି ସେମାନେ ବିଶ୍ବର ଯେକୌଣସି ସ୍ଥାନକୁ ଯାଇପାରୁଛନ୍ତି । କେନ୍ଦ୍ରର ଟିକାକରଣ ଯୋଜନା ନେଇ କେରଳ ହାଇକୋର୍ଟ ମଙ୍ଗଳବାର ଏଭଳି ଟିପ୍ପଣୀ କହିଛନ୍ତି।

ଏକ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଟିକାର ତୃତୀୟ ଡୋଜ୍ ଦାବି କରି ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ୍ ପି ​​ଭି କୁନ୍ହିକ୍ରିଷ୍ଣ ଏହି ମନ୍ତବ୍ୟ ଦେଇଥିଲେ।

ସାଉଦି ଆରବରେ ୱେଲଡର ଭାବରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ତାଙ୍କୁ ତୃତୀୟ ଡୋଜ୍ ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ । କାରଣ ସେ ଗ୍ରହଣ କରିଥିବା କୋଭାକ୍ସିନର ଦୁଇଟି ଡୋଜ୍ ସାଉଦି ଆରବରେ ସ୍ୱୀକୃତିପ୍ରାପ୍ତ କିମ୍ବା ଅନୁମୋଦିତ ନୁହେଁ । ତେଣୁ ସେ ସେଠାରେ ଚାକିରି ହରାଇବା ଆଶଙ୍କାରେ ରହିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଟିକା ନ ପାଇଲେ ସେ ସେଠାକୁ ଯାଇପାରିବେ ନାହିଁ ବୋଲି ବ୍ୟକ୍ତି ଜଣକ ନିଜ ଆବେଦନରେ କହିଥିଲେ ।

“ରାଷ୍ଟ୍ର ପ୍ରାୟୋଜିତ ଟିକାକରଣ ଯୋଜନା ଯୋଗୁଁ ଦେଶରେ ଦୁଇ ପ୍ରକାରର ନାଗରିକ ସୃଷ୍ଟି ହୋଇଛନ୍ତି – ଯେଉଁମାନେ କୋଭାକ୍ସିନ ଗ୍ରହଣ କରିଛନ୍ତି ଏବଂ ଯେଉଁମାନେ କୋଭିସିଲ୍ଡ ପାଇଛନ୍ତି। କୋଭାକ୍ସିନ ନେଇଥିବା ଲୋକଙ୍କ ଭ୍ରମଣ ସୀମିତ ଥିବାବେଳେ କୋଭିଶିଲ୍ଡ ପାଇଥିବା ଲୋକ ଯେକୌଣସି ସ୍ଥାନକୁ ଯାଇପାରିବେ । ଏଭଳି ଦୁଇ ଶ୍ରେଣୀର ନାଗରିକ ସୃଷ୍ଟି ହେବା ଦ୍ୱାରା ଆବେଦନକାରୀଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି ।

କୋଭାକ୍ସିନ ନେବା ଦ୍ବାରା ଆବେଦନକାରୀଙ୍କ ଚଳାଚଳ ସୀମିତ ରହିଛି। ରାଷ୍ଟ୍ର ପ୍ରାୟୋଜିତ ଟିକାକରଣ ଯୋଜନା ଯୋଗୁଁ ଜଣେ ନାଗରିକ ଯନ୍ତ୍ରଣା ଭୋଗୁଛନ୍ତି। ଏହା ଆବେଦନକାରୀଙ୍କ ମୌଳିକ ଅଧିକାରର ଉଲ୍ଲଂଘନର ଏକ ସ୍ପଷ୍ଟ ମାମଲା ବୋଲି କୋର୍ଟ କହିଛନ୍ତି।

ଜଜ୍ କହିଛନ୍ତି ଯେ ଆବେଦନକାରୀଙ୍କୁ ତୃତୀୟ ଡୋଜ୍ ଦିଆଯିବ କି ନାହିଁ ସେ ନିର୍ଦ୍ଦେଶ ଦେବେ ନାହିଁ । କିନ୍ତୁ ଏକ ମାସ ମଧ୍ୟରେ ତାଙ୍କ ଅଭିଯୋଗର ସମାଧାନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବେ।

ବିଚାରପତିଙ୍କ ଦ୍ୱାରା ଦର୍ଶାଯାଇଥିବା ପ୍ରସଙ୍ଗ ଉପରେ କେନ୍ଦ୍ରର ଉତ୍ତର ଅପେକ୍ଷା କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ରେ ହେବ ।

Comments are closed.