ଉପନିର୍ବାଚନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ରେକର୍ଡ ବିଜୟ

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଚମ୍ପାୱତ ବିଧାନସଭା ଉପନିର୍ବାଚନରେ ​​ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କୁ ପରାସ୍ତ କରି ଧାମି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ଧାମି ଏହି ଉପନିର୍ବାଚନରେ ରେକର୍ଡ ୫୫ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଛନ୍ତି । ବିଧାନସଭା ନିର୍ବାଚନରେ ସେ ଖତିମା ଆସନରୁ ୬୫୦୦ ଭୋଟରେ ହାରିଯାଇଥିଲେ । ତଥାପି ବିଜେପି ନେତୃବର୍ଗ ତାଙ୍କ ଉପରେ ଭରସା ରଖି ପୁଣିଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା । ଏବେ ଉପନିର୍ବାଚନରେ ବିପୁଳ ବିଜୟ ସହ ସେ ଦଳୀୟ ନେତୃବର୍ଗର ବିଶ୍ବାସକୁ ଯଥାର୍ଥ ସାବ୍ୟସ୍ତ କରିଛନ୍ତି ।

ବିଜେପି ପ୍ରାର୍ଥୀ ପୁଷ୍କର ସିଂହ ଧାମି ଚମ୍ପାୱତ ଜିଲ୍ଲାର ରାଜନୈତିକ ଇତିହାସରେ ୫୫ ହଜାର ୧୧୧ ଭୋଟରେ ରେକର୍ଡ ବିଜୟ ପଞ୍ଜିକରଣ କରି ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି । ଉତ୍ତରାଖଣ୍ଡ ଇତିହାସରେ ପୂର୍ବରୁ କେହି ନେତା ଏତେ ଭୋଟରେ ଜିତିନଥିଲେ। ଏହାପୂର୍ବରୁ ବିଜୟ ବହୁଗୁଣା ସୀତାରଗଞ୍ଜରୁ ୩୯,୯୬୬ ଭୋଟରେ ଜିତିଥିଲେ କିନ୍ତୁ ପୁଷ୍କର ଧାମି ଚମ୍ପାୱାତ ଆସନକୁ ୫୫ ହଜାରରୁ ଅଧିକ ଭୋଟରେ ଜିତି ରେକର୍ଡ କରିଛନ୍ତି।

Comments are closed.