ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିଏସ୍) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଓ ରିମାଣ୍ଡ ଅର୍ଡର ରଦ୍ଦ ନେଇ ତାଙ୍କ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଥିଲେ ।

ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଚନ୍ଦ୍ରବାବୁ ନାଇଡୁ ଶନିବାର ସୁପ୍ରିମକୋର୍ଟଙ୍କ କବାଟ ବାଡ଼େଇଛନ୍ତି । ସିଆଇଡି ପକ୍ଷରୁ ହାଇକୋର୍ଟରେ ଯୁକ୍ତି କରାଯାଇଥିଲା ଯେ ଦୁର୍ନୀତି ନିବାରଣ ଆଇନର ଧାରା ୧୭ (ଏ) ଚନ୍ଦ୍ରବାବୁଙ୍କ ବିରୋଧରେ ଲାଗୁ ହୋଇଛି । କିନ୍ତୁ ନାଇଡୁଙ୍କ ପିଟିସନରେ ଏସିବି କୋର୍ଟ ଦେଇଥିବା ରିମାଣ୍ଡ ଆଦେଶକୁ ମଧ୍ୟ ରଦ୍ଦ କରିବାକୁ ଦାବି କରାଯାଇଥିଲା। ସୋମବାର ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ଶୁଣାଣି ହେବା ସମ୍ଭାବନା ରହିଛି।

ପ୍ରକାଶଯୋଗ୍ୟ ଯେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ କରାଯାଇଥିଲା । ଏହା ପରେ ବିଜୟୱାଡା କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ) କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଆନ୍ଧ୍ର ପ୍ରଦେଶ ପୋଲିସ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ମୁଖ୍ୟ ଷଡଯନ୍ତ୍ରକାରୀ’ ବୋଲି ବର୍ଣ୍ଣନା କରିଛି। ଏହି କେଳେଙ୍କେରୀ ଯୋଗୁଁ ରାଜ୍ୟ ସରକାରଙ୍କ ୩୦୦ କୋଟି କ୍ଷତି ହୋଇଥିବା ଅଭିଯୋଗ ହୋଇଛି।

Comments are closed.