ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିବାକୁ ଭାରତ ପାଖରେ ରହିଛି ସୁଯୋଗ । ଆଜି ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ -୩’ ଚନ୍ଦ୍ରରେ ଅବତରଣ କରିବ | ଏଥିପାଇଁ ଆରମ୍ଭ ହୋଇଛି ଅବଗଣନା । ଆଜି (ଅଗଷ୍ଟ ୨୩) ସନ୍ଧ୍ୟା ୬:୦୪ରେ ଚନ୍ଦ୍ରର ଅନାବିଷ୍କୃତ ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ -୩’ ର ଲ୍ୟାଣ୍ଡର ‘ବିକ୍ରମ’ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଧାର୍ଯ୍ୟ ହୋଇଛି । ଏହି ପ୍ରତୀକ୍ଷିତ କ୍ଷଣ ଉପରେ କେବଳ ସାରା ଦେଶ ନୁହେଁ ବରଂ ସମଗ୍ରର ବିଶ୍ବର ନଜର ରହିଛି ।
ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ‘ବିକ୍ରମ’ ଲ୍ୟାଣ୍ଡରରୁ ‘ପ୍ରଜ୍ଞାନ’ ନାମକ ଏକ ରୋଭର ବାହାରି ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ନମୁନା ସଂଗ୍ରହ କରିବ, ଯାହା ଚନ୍ଦ୍ର ବିଷୟରେ ମାନବ ସମାଜ ପାଇଁ ବହୁମୂଲ୍ୟ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି |
ନିକଟରେ ରୁଷର ଲୁନା-୨୫ ମୁନ ମିଶନ ବିଫଳ ହେବା ପରେ ଭାରତର ‘ଚନ୍ଦ୍ରଯାନ -୩’ ମିଶନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । କାରଣ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ (ଚନ୍ଦ୍ର)ର ଦକ୍ଷିଣ ମେରୁରେ ଏପର୍ଯ୍ୟନ୍ତ କୌଣସି ଦେଶ ପହଞ୍ଚିପାରି ନାହାଁନ୍ତି। ରୁଷର ‘ଲୁନା-୨୫’ ଦକ୍ଷିମ ମେରୁରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଅବତରଣର କିଛି ଘଣ୍ଟା ପୂର୍ବରୁ ଏହା କ୍ରାସ୍ ହୋଇଯାଇଥିଲା ।
ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ କରିବାକୁ ବ୍ୟବସ୍ଥା କରିଛି ଇସ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ ମାଧ୍ୟମରେ ଏହା ଉପରେ ନଜର ରଖିବେ । ବ୍ରିକ୍ସ ସମ୍ମିଳନୀ ପାଇଁ ମୋଦୀ ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଅଛନ୍ତି ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଯଦି ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ବା ଧୀରାବତରଣ କରିବାରେ ସଫଳ ହୁଏ ତେବେ ଏପରି କରିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହେବ । ଏହାଛଡ଼ା ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାରେ ଆମେରିକା, ତତ୍କାଳୀନ ସୋଭିଏତ୍ ସଂଘ (ରୁଷ) ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହେବ।
ଇସ୍ରୋ କହିଛି ଯେ, ଚନ୍ଦ୍ରରେ ଅବତରଣ ପାଇଁ ଧାର୍ଯ୍ୟ ପ୍ରକ୍ରିୟା ଠିକ୍ ଠାକ୍ ରହିଛି । ଯଦି ଲ୍ୟାଣ୍ଡରରେ କୌଣସି ସମସ୍ୟା ଦେଖାଦିଏ, ତେବେ ସଫ୍ଟ ଲ୍ୟାଣ୍ଡିଂକୁ ୪ ଦିନ ପାଇଁ ସ୍ଥଗିତ ରଖାଯିବ। ଅର୍ଥାତ ଅଗଷ୍ଟ ୨୭ରେ ପୁଣି ଏହାକୁ ଅବତରଣ କରିବାକୁ ଉଦ୍ୟମ କରାଯିବ । ଲ୍ୟାଣ୍ଡିଂ ବେଳର ଶେଷ ୧୫-୧୭ ମିନିଟ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏହି ଶେଷ କିଛି ମିନିଟ୍ ଉପରେ ହିଁ ଚନ୍ଦ୍ରଯାନ-୩ର ସଫଳତା ନିର୍ଭର କରିବ ।
ଜୁଲାଇ ୧୪ରେ ମିଶନ ଲଞ୍ଚ ହେବାର ୩୫ ଦିନ ପରେ ଅର୍ଥାତ୍ ଗୁରୁବାର ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ମଡ୍ୟୁଲ୍ ଏବଂ ପ୍ରପୁଲସନ୍ ମଡ୍ୟୁଲକୁ ସଫଳତାର ସହ ଅଲଗା କରାଯାଇଥିଲା |
ଜୁଲାଇ ୧୪ରେ ଉତକ୍ଷେପଣ ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା | ପ୍ରପଲସନ୍ ଏବଂ ଲ୍ୟାଣ୍ଡର ମଡ୍ୟୁଲକୁ ଅଲଗା କରିବା ପୂର୍ବରୁ ଏହାକୁ ଚନ୍ଦ୍ର ପୃଷ୍ଠକୁ ନିକଟତର କରିବା ପାଇଁ ଅଗଷ୍ଟ ୬, ୯, ୧୪ ଏବଂ ୧୬ରେ କକ୍ଷପଥର ନିମ୍ନକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା |
ଏହାପୂର୍ବରୁ ଇସ୍ରୋକୁ ମଧ୍ୟ ଚନ୍ଦ୍ର ମିଶନରେ ଦୁଇଥର ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା | ଚନ୍ଦ୍ରଯାନ-୧ ଚନ୍ଦ୍ରର ଦକ୍ଷିଣ ମେରୁରେ କ୍ରାସ୍ ହୋଇଯାଇଥିଲା। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ଠିକ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Comments are closed.