‘ଯିଏ କର୍ତ୍ତବ୍ୟ ଅପେକ୍ଷା ନିଜ ଜୀବନର ବେଶି ଚିନ୍ତା କରେ…’ ସର୍ଦ୍ଦାର ପଟେଲଙ୍କ ଉଦାହରଣ ଦେଇ ମୋଦିଙ୍କୁ ଟାର୍ଗେଟ କଲେ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ବିଜେପି ନେତା ଏହାକୁ କଂଗ୍ରେସର ଷଡ଼ଯନ୍ତ୍ର ବୋଲି କହୁଥିବା ବେଳେ ଅନ୍ୟ ପଟେ କଂଗ୍ରେସ ସୁରକ୍ଷା ତ୍ରୁଟି ଅଭିଯୋଗକୁ ଅସ୍ୱୀକାର କରୁଛି। ଏହାରି ଭିତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସର୍ଦ୍ଦାର ପଟେଲଙ୍କ ଏକ ଉକ୍ତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଚନ୍ନି ସର୍ଦ୍ଦାର ପଟେଲଙ୍କ ଏକ ଉକ୍ତିକୁ ଟ୍ୱିଟ୍ କରି ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି। ଟ୍ୱିଟ୍ କରି ଚନ୍ନି କହିଛନ୍ତି, “ଯିଏ କର୍ତ୍ତବ୍ୟ ଅପେକ୍ଷା ନିଜ ଜୀବନକୁ ନେଇ ଅଧିକ ଚିନ୍ତା କରେ, ସେ ଭାରତ ଭଳି ଦେଶର ବଡ଼ ଦାୟିତ୍ ଗ୍ରହଣ କରିବା ଉଚିତ୍ ନୁହେଁ !” ଏହି ଟ୍ବିଟ୍ ସହ ଚନ୍ନି ସର୍ଦ୍ଦାର ପଟେଲଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବୁଧବାର ଦିନ ପଞ୍ଜାବ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ହୁସେନାୱାଲାକୁ ସଡ଼କ ପଥରେ ଯାଉଥିଲେ। ଏହି ସମୟରେ ଚାଷୀଙ୍କ ରାସ୍ତାରୋକ ଯୋଗୁଁ ପିଏମ୍ ମୋଦିଙ୍କ ଗାଡ଼ି ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଏକ ଫ୍ଲାଏଓଭରରେ ଅଟକି ରହିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକ୍ରମକୁ ବାତିଲ କରି ଦିଲ୍ଲୀ ଫେରିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିମାନ ବନ୍ଦରରେ ଜଣେ ଅଧିକାରୀଙ୍କୁ ମୋଦି କହିଥିଲେ, ମୁଁ ଜୀବିତ ଫେରୁଥିବାରୁ ତୁମ ମୁଖ୍ୟମନ୍ତ୍ରୀ (ଚନ୍ନି)ଙ୍କୁ ଧନ୍ୟବାଦ ଜଣାଇବ।

Comments are closed.