ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜାଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡ଼ୁଆ ବଢିଛି। ବେଆଇନ ବାଲି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଏମ୍ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ଗତକାଲି ଇଡି ଦ୍ୱାରା ହନିଙ୍କୁ ଡକାଇଥିଲା। ଇଡି ଆଜି ମଧ୍ୟାହ୍ନ ୧୨ ଟାରେ ଜଲନ୍ଦର କୋର୍ଟରେ ହନିଙ୍କୁ ହାଜର କରିବ |

ବେଆଇନ ବାଲି ଖନନକୁ ନେଇ ପଞ୍ଜାବରେ ଇଡି ପକ୍ଷରୁ ହୋଇଥିବା ଚଢାଉରେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲାକ୍ସ ଘଣ୍ଟା ଜବତ କରାଯାଇଥିଲା। ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରାଯାଇଥିଲା | ଏହି ଚଢ଼ାଉରେ ଅଧିକାଂଶ ନଗଦ ଭୁପେନ୍ଦ୍ର ସିଂ ହନିଙ୍କ ସ୍ଥାନରୁ ମିଳିଥିଲା। ଏହି ପରିମାଣ ପ୍ରାୟ ସାତରୁ ଆଠ କୋଟି ଟଙ୍କା ବୋଲି କୁହାଯାଇଛି |

ଇଡି ସୂତ୍ରରୁ ପ୍ରକାଶ, ଏହି ଚଢ଼ାଉ ବେଳେ ଉପେନ୍ଦ୍ର ସିଂ ଓରଫ୍ ହନି ତାଙ୍କ ମୋହାଲି ଘରେ ଉପସ୍ଥିତ ଥିଲେ। ଯେତେବେଳେ ଇଡିର ଅଧିକାରୀମାନେ ତାଙ୍କଠାରୁ ଉଦ୍ଧାର ହୋଇଥିବା କୋଟି କୋଟି ଟଙ୍କା ବିଷୟରେ ତାଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହି ମାମଲାରେ ଇଡି ହନି ଏବଂ ତାଙ୍କ କମ୍ପାନୀର ଆଉ ଦୁଇଜଣ ନିର୍ଦ୍ଦେଶକଙ୍କୁ ଜେରା କରିଥିଲା।

ଫେବୃଆରୀ ୨୦ରେ ପଞ୍ଜାବର ୧୧୭ଟି ଆସନରେ ମତଦାନ ହେବ। ଏଭଳି ସ୍ଥିତିରେ ବିରୋଧୀ ଏବେ ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରିବାକୁ ସୁଯୋଗ ପାଇଛନ୍ତି ।

Comments are closed.