ଦଶମ ଥର ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ: ପ୍ରଥମ କ୍ବାଲିଫାୟର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗ୍ସ ୭ ୱିକେଟ୍ ବିନିମୟରେ ୧୭୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଟାଇଟନ୍ସ ୧୫୭ ରନ୍ କରି ଅଲ୍ ଆଉଟ୍‌ ହୋଇଯାଇଥିଲା। ଅର୍ଦ୍ଧଶତକୀୟ ଇନିଂସ୍‌ ପାଇଁ ଋତୁରାଜ ଗାଏକୱାଡ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ସୁପରକିଙ୍ଗ୍‌ ୧୪ ବର୍ଷ ମଧ୍ୟରେ ଦଶମ ଥର ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଦଳ ୪ଥର ଚାମ୍ପିଅନ୍ ହୋଇଥିବା ବେଳେ ୫ଥର ରନର୍ସ ଅପ୍ ହୋଇଛି। ୨୦୧୬ ଓ ୨୦୧୭ ସିଜନରେ ସୁପରକିଙ୍ଗ୍‌ସ ଆଇପିଏଲରୁ ନିଲମ୍ବିତ ହୋଇଥିଲା। ତେବେ ଟାଇଟନ୍ସର ଅଭିଯାନ ଶେଷ ହୋଇନାହିଁ । ଫାଇନାଲ୍‌ରେ ପହଞ୍ଚିବା ପାଇଁ ଦଳ ନିକଟରେ ଆଉ ଏକ ସୁଯୋଗ ରହିଛି। ଆଜି ମୁମ୍ବାଇ-ଲକ୍ଷ୍ନୌ ଏଲିମିନେଟର ମୁକାବିଲା ଖେଳାଯିବ। ଏହି ମ୍ୟାଚର ବିଜେତାକୁ ଟାଇଟନ୍ସ ଦ୍ଵିତୀୟ କ୍ୱାଲିଫାୟରରେ ଭେଟିବ।

୧୭୨ ରନର ବିଜୟ ଲକ୍ଷ୍ୟ ଜବାବରେ ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ ଓ ରିଦ୍ଧିମାନ ଶାହା ୨୨ ରନ୍ ସଂଗ୍ରହ କରିଥିଲେ । ଶାହା ୧୨ ରନ୍ କରି ଆଉଟ୍ ହେବା ପରେ ଟାଇଟନ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୮, ଡାସୁନ ଶନକା ୧୭ ଓ ଡେଭିଡ୍ ମିଲର ୪ ରନ୍ କରି ପାଭିଲିୟନ ଫେରିଥିଲେ। ଗିଲ ଲଢୁଆ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୮୮ରେ ପହଞ୍ଚାଇଥିଲେ । ସେ ୪୨(୪ଚୌକା, ୧ଛକା)ରନ୍ କରି ଆଉଟ୍ ହେବା ପରେ ଟାଇଟନ୍ସର ବିଜୟ ଆଶା ମଉଳି ଯାଇଥିଲା । ଅନ୍ତିମ ଭାଗରେ ରସିଦ ଖାନ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୦ ରନ୍ କରିଥିଲେ । ମାତ୍ର ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା। ଟାଇଟନ୍ସ ୧୫୭ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ସୁପରକିଙ୍ଗ୍‌ସ ପକ୍ଷରୁ ଦୀପକ ଚହର, ମହୀଶ ତୀକ୍ଷନା, ରବିନ୍ଦ୍ର ଜାଡେଜା ଓ ମଥୁଶା ପତିରଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ଟାଇଟନ୍ସ ଟସ୍ ଜିତି ସୁପରକିଙ୍ଗ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦୁଇ ଓପନର ଡେଭିନ କନୱେ ଓ ଋତୁରାଜ ଗାଏକୱାଡ୍ ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଟାଇଟନ୍ସ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳୁଥ‌ିବା ଦର୍ଶନ ନାଲକଣ୍ଡେ ଦ୍ଵିତୀୟ ଓଭର ବୋଲିଂ କରିବାକୁ ଆସି ତୃତୀୟ ବଲ୍‌ରେ ଋତୁରାଜ ଗାଏକଙ୍କୁ ଆଉଟ୍ କରିଥିଲେ । ମାତ୍ର ଏହା ‘ନୋ ବଲ’ ଘୋଷିତ ହୋଇଥିଲା। ଏହାପରେ ଗାଏକୱାଡଙ୍କୁ ଅଟକାଇବା ସମ୍ଭବ ହୋଇନଥିଲା। ସେ ପ୍ରତ୍ୟେକ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ପ୍ରଥମ ୱିକେଟ୍‌ରେ ୮୭ ରନ ସଂଗୃହୀତ ହୋଇଥିଲା। ଗାଏକୱାଡ୍ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୧୧ତମ ଓଭରରେ ମୋହିତ ଶର୍ମା ଓପନିଂ ଯୋଡି ଭାଙ୍ଗିବା ଫଳରେ ଟାଇଟନ୍ସ ମ୍ୟାକୁ ଫେରିଥିଲା। ଗାଏକୱାଡ୍ ୪୪ଟି ବଲ୍‌ରୁ ୬୦, ୭ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିଲେ।

ଏହାପରେ ଡିଫେଣ୍ଡିଂ ଚାମ୍ପିଅନ ଦଳ ଶୃଙ୍ଖଳିତ ବୋଲିଂ କରି ଚାପ ପକାଇବାରେ ସଫଳ ହୋଇଥିଲା । ଶିବମ ଦୁବେ ମାତ୍ର ୧ ରନ୍ କରି ପାଭିଲିୟନ ଫେରିଥିଲେ। ଅଜିକ୍ୟ ରାହାଣେ(୧୭) ଓ ଅମାତି ରାୟୁଡୁ(୧୭) ନିରାଶ କରିଥିଲେ। କନଓ୍ବେ ଦର୍ଶନୀୟ ସଟମାନ ଖେଳି ୪୦ ରନ୍ କରିଥିଲେ। ଶେଷ ଭାଗରେ ରବିନ୍ଦ୍ର ଜାଡେଜା ଦ୍ରୁତ ୨୨ ରନ୍ ସଂଗ୍ରହ କରିବାରୁ ଦଳୀୟ ସ୍କୋର ୧୭୨ରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲି ଅପରାଜିତ ୯ ଓ ମହେନ୍ଦ୍ର ସିଂ ଧୋନି ୧ ରନ୍ କରିଥିଲେ।

Comments are closed.