ଏଲ୍ଏସିରେ ଭାରତୀୟ ସେନା ସହ ସଂଘର୍ଷ ନେଇ ଏମିତି କହିଲା ଚୀନ୍

ନୂଆଦିଲ୍ଲୀ: ଭାରତ ପରେ ଚୀନ୍ ମଧ୍ୟ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରର ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବିବୃତ୍ତି ଜାରି କରିଛି। ଡିସେମ୍ବର ୯ ରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦକୁ କହିଛନ୍ତି ଯେ ଚୀନ୍ ସୈନ୍ୟମାନେ ତାୱାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ଆକ୍ରମଣ କରି ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭାରତୀୟ ସୈନ୍ୟମାନେ ଚୀନର ଏହି ଉଦ୍ୟମ ପଣ୍ଡ କରିଛନ୍ତି।

ରାଜନାଥ ସିଂହଙ୍କ ବିବୃତ୍ତି ପରେ ଚୀନର ମଧ୍ୟ ପ୍ରତିକ୍ରିୟା ଆସିଛି । ଚୀନ୍ କହିଛି ଯେ ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ଭାରତ ସହ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି।

ସୂଚନାଯୋଗ୍ୟ ଯେ ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଏକ ସ୍ଥାନରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷର କିଛି ସୈନିକ ସାମାନ୍ୟ ଆହତ ହୋଇଥିଲେ।

୨୦୨୦ରେ ଲଦାଖର ଗଲଓ୍ବାନ୍ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ଦୁଇ ସେନା ମୁହାଁମୁହିଁ ହୋଇଛନ୍ତି। ଗଲଓ୍ବାନ୍ ସଂଘର୍ଷରେ ଭାରତର ୨୦ ଯବାନ ସହିଦ୍ ହୋଇଥିବା ବେଳେ ଚୀନର ପ୍ରାୟ ୪୦ ଯବାନ ନିହତ ହୋଇଥିଲେ।

Comments are closed.