ଭୁଟିଆଙ୍କୁ ହରାଇ ଚୌବେ ହେଲେ ଏଆଇଏଫ୍ଏଫର ପ୍ରଥମ ‘ଖେଳାଳି’ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଏହାର ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଜଣେ ‘ଖେଳାଳି’ ଅଧ୍ୟକ୍ଷ ପାଇଛି । ଅଧ୍ୟକ୍ଷ ପଦ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ​​ପୂର୍ବତନ ଖେଳାଳି କଲ୍ୟାଣ ଚୌବେ କିମ୍ବଦନ୍ତୀ ଫୁଟବଲର୍ ବାଇଚୁଙ୍ଗ ଭୁଟିଆଙ୍କୁ ହରାଇ ଭାରତୀୟ ଫୁଟବଲ ସଂଘର ଏହି ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି । ପ୍ରଥମ ଥର ଜଣେ ପୂର୍ବତନ ଖେଳାଳି ଏଆଇଏଫ୍ଏଫ୍ ଅଧ୍ୟକ୍ଷ ହୋଇଛନ୍ତି ।

ମୋହନ ବାଗାନ ଏବଂ ଇଷ୍ଟ ବେଙ୍ଗଲର ପୂର୍ବତନ ଗୋଲକିପର ୪୫ ବର୍ଷୀୟ ଚୌବେ ୩୩-୧ରେ ବିଜୟୀ ହୋଇଛନ୍ତି । ପୂର୍ବତନ ଅଧିନାୟକ ଭୁଟିଆଙ୍କୁ ରାଜ୍ୟ ସଂଘ ପ୍ରତିନିଧୀଙ୍କୁ ନେଇ ଗଠିତ ୩୪ ଜଣିଆ ନିର୍ବାଚନୀ ମଣ୍ଡଳୀର ସେଭଳି ସମର୍ଥନ ନ ଥିବାରୁ ଚୌବେଙ୍କ ବିଜୟ ନିଶ୍ଚିତ ହୋଇଯାଇଥିଲା ।

ସିକ୍କିମର ବାସିନ୍ଦା ୪୫ ବର୍ଷୀୟ ଭୁଟିଆ ନାମାଙ୍କନ ପତ୍ର ପୂରଣ କରିବାବେଳେ ତାଙ୍କ ରାଜ୍ୟ ସଂଘର ପ୍ରତିନିଧୀ ମଧ୍ୟ ତାଙ୍କୁ ସମର୍ଥନ କରିନଥିଲା ।

ଗତ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ହାରିଥିବା ବିଜେପି ରାଜନେତା ଚୌବେ କେବେବି ଭାରତୀୟ ସିନିୟର ଦଳ ପାଇଁ ଖେଳି ନାହାଁନ୍ତି, ଯଦିଓ ସେ କିଛି ଥର ଦଳର ଅଂଶ ହୋଇଥିଲେ।

ଆନ୍ତର୍ଜାତୀୟ ସ୍ତରରେ ସେ ବୟସ ବର୍ଗ ଟୁର୍ନାମେଣ୍ଟ ଗୁଡ଼ିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ମୋହନ ବାଗାନ ଏବଂ ଇଷ୍ଟ ବେଙ୍ଗଲ ପାଇଁ ଗୋଲକିପର ଭାବେ ଖେଳିଛନ୍ତି। ଭୁଟିଆ ଏବଂ ଚୌବେ ଏକଦା ଇଷ୍ଟ ବେଙ୍ଗଲ ଟିମ୍ ମେଟ୍ ଥିଲେ ।

କର୍ଣ୍ଣାଟକ ଫୁଟବଲ ସଂଘର ସଭାପତି ତଥା କଂଗ୍ରେସ ବିଧାୟକ ଏନ୍ଏ ହାରିସ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଏହି ପଦ ପାଇଁ ରାଜସ୍ଥାନ ଫୁଟବଲ ସଂଘର ମାନବେନ୍ଦ୍ର ସିଂହଙ୍କୁ ପରାସ୍ତ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ଗୋପାଳକୃଷ୍ଣ କୋସାରାଜୁଙ୍କୁ ହରାଇ ଅରୁଣାଚଳ ପ୍ରଦେଶର କିପ୍ପା ଅଜୟ କୋଷାଧ୍ୟକ୍ଷ ପଦ ହାତେଇଛନ୍ତି ।

ଅଧ୍ୟକ୍ଷ ପଦ ପାଇଁ କୋଟାରାଜୁ ଭୁଟିଆଙ୍କ ପ୍ରସ୍ତାବକ ହୋଇଥିବା ବେଳେ ମାନବେନ୍ଦ୍ର ତାଙ୍କୁ ସମର୍ଥନ କରିଥିଲେ।

୧୪ ଜଣିଆ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ କମିଟି ପଦ ପାଇଁ ସମାନ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ଏବଂ ସେମାନେ ସବୁ ନିର୍ଦ୍ବନ୍ଦ୍ବରେ ​​ନିର୍ବାଚିତ ହୋଇଛନ୍ତି ।

Comments are closed.