ଭଗଓ୍ବନ୍ତ ମାନଙ୍କୁ କାହିଁକି ବିମାନରୁ ଓହ୍ଲାଇ ଦିଆଗଲା ? ସିନ୍ଧିଆ କହିଲେ ତଦନ୍ତ ହେବ

ନୂଆଦିଲ୍ଲୀ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାର ତଦନ୍ତ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ନିଶାସକ୍ତ ଥିବା ଯୋଗୁଁ ନା ଅନ୍ୟ କେଉଁ କାରଣରୁ ଭଗଓ୍ବନ୍ତ ମାନଙ୍କୁ ଜର୍ମାନୀର ଏକ ବିମାନରୁ ଓହ୍ଲାଇ ଦିଆଯାଇଥିଲା ସେନେଇ ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଅନ୍ୟପକ୍ଷରେ ଭଗଓ୍ବନ୍ତ ମାନ ମଦ ପିଇ ବିମାନରେ ଚଢିଥିବାରୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା ବୋଲି ବିରୋଧୀ ଶିରୋମଣି ଅକାଳୀ ଦଳ ଅଭିଯୋଗ କରିଛି । କିନ୍ତୁ ଆମ୍ ଆଦମୀ ପାର୍ଟି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଏବଂ ବିରୋଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ‘ଏହି ଘଟଣା ବିଦେଶର ଘଟିଛି। ଆମକୁ ତଥ୍ୟ ବିଷୟରେ ନିଶ୍ଚିତ ହେବାକୁ ପଡିବ | ତଥ୍ୟ ପ୍ରଦାନ କରାଯିବ ନା ନାହିଁ ତାହା ଜର୍ମାନ ଏୟାର ଲାଇନ୍ ‘ଲୁଫଥାନ୍ସା’ ଉପରେ ନିର୍ଭର କରେ | ମୋତେ ପଠାଯାଇଥିବା ଅନୁରୋଧ ଆଧାରରେ ମୁଁ ନିଶ୍ଚିତ ଭାବରେ ଏହି ମାମଲାକୁ ଦେଖିବି |

ସୋମବାର ଖବର ଆସିଥିଲା ​​ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଦ୍ୟପାନ କରିଥିବାରୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଏକ ଲୁଫଥାନ୍ସା ଫ୍ଲାଇଟ୍ ଉଡ଼ାଣ ବିଳମ୍ବ ହୋଇଥିଲା।

ତେବେ ପରେ ବିମାନ କମ୍ପାନୀ ଦ୍ୱାରା ଏକ ସ୍ପଷ୍ଟୀକରଣ ମଧ୍ୟ ଜାରି କରାଯାଇଥିଲା। ପରବର୍ତ୍ତୀ ଫ୍ଲାଇଟର ବିଳମ୍ବ ଏବଂ ବିମାନ ପରିବର୍ତ୍ତନ ଯୋଗୁଁ ଫ୍ରାଙ୍କଫର୍ଟ୍ ରୁ ଦିଲ୍ଲୀ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା ବୋଲି କମ୍ପାନୀ କହିଛି। କଂଗ୍ରେସ ନେତା ପ୍ରତାପ ସିଂ ବାଜୱା ଲୁଫଥାନ୍ସା ଠାରୁ ତଥ୍ୟ ମାଗି ଏହାକୁ ସାର୍ବଜନୀନ କରିବାକୁ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କୁ ଅନୁରୋଧ କରିଛନ୍ତି ।

Comments are closed.