‘ମୋ ଅଧିକାର ସହ ଖେଳ ନାହିଁ’, ଓକିଲଙ୍କ ଉପରେ ରାଗିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଜଣେ ଓକିଲଙ୍କ ଜିଦଖୋର ଆଭିମୁଖ୍ୟ ନେଇ ରାଗିଥିଲେ । ତାଙ୍କ କର୍ତ୍ତୃତ୍ବ ସହ ନ ଖେଳିବାକୁ ସେ ଓକିଲଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ।

ଓକିଲ ଜଣକ ତାଙ୍କ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନ୍ୟ ଏକ ଖଣ୍ଡପୀଠ ଆଗରେ ଏହାକୁ ଉଲ୍ଲେଖ କରିବାକୁ ଦାବି କରିଥିଲେ । ତେବେ ପ୍ରଧାନ ବିଚାରପତି ଏହି ମାମଲା ଏପ୍ରିଲ୍ ୧୭ରେ ଶୁଣାଣି କରିବାକୁ ପୂର୍ବରୁ ହିଁ ତାଲିକାଭୁକ୍ତ କରିସାରିଥିଲେ । ତଥାପି ଓକିଲ ଶୀଘ୍ର ତାରିଖ ଦେବାକୁ ଦାବି କରିଥିଲେ । ପ୍ରଧାନ ବିଚାରପତି ତାଙ୍କୁ ମନା କରିଥିଲେ ମଧ୍ୟ ଓକିଲ ଜଣକ ରାଜି ହୋଇନଥିଲେ । ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ରାଗିଯାଇଥିଲେ |

ସିଜେଆଇ ଓକିଲଙ୍କୁ ପଚାରିଥିଲେ ଯେ ଆପଣଙ୍କର ତାରିଖ ୧୭ ଏପ୍ରିଲରେ ଅଛି । ଆପଣ ୧୪ ଏପ୍ରିଲରେ ତାରିଖ ପାଇବାକୁ ଅନ୍ୟ ଏକ ଖଣ୍ଡପୀଠ ସମ୍ମୁଖରେ ଏହା ଉଲ୍ଲେଖ କରିବାକୁ ଚାହୁଁଛନ୍ତି କି? ଓକିଲ ଜଣକ କହିଥିଲେ ଯେ ଗତକାଲି କୋର୍ଟ ଏଭଳି ଏକ ମାମଲା ଉଠାଇଥିଲେ ଏବଂ କିଛି ନୂଆ ମାମଲା ମଧ୍ୟ ଉଲ୍ଲେଖ କରାଯାଇଥିଲା ।

ସିଜେଆଇ ଓକିଲଙ୍କୁ କହିଥିଲେ, ଆମେ ୧୭ ଏପ୍ରିଲ୍ ତାରିଖ ଦେଉଛୁ । ୧୭ ତାରିଖ ଦିନ ଏହାର ଶୁଣାଣି ହେବ | ଆଗୁଆ ଡେଟ୍ ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ତଥାପି ଓକିଲ ପୁଣିଥରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିବାରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ରାଗିଯାଇଥିଲେ। ସେ କହିଥିଲେ, “୧୭ ମାନେ ୧୭ । ମୋର ଅଧିକାର ସହ ଖେଳ ନାହିଁ।”

ଏହା ପୂର୍ବରୁ ମାର୍ଚ୍ଚରେ ମଧ୍ୟ ଏକ ମାମଲା ନିର୍ଦ୍ଦିଷ୍ଟ ତାରିଖରେ ପ୍ରଥମ ଆଇଟମ୍ ଭାବେ ତାଲିକାଭୁକ୍ତ କରିବାକୁ ନେଇ ଜଣେ ବରିଷ୍ଠ ଓକିଲଙ୍କ ସହ ପ୍ରଧାନ ବିଚାରପତିଙ୍କ ଉଚ୍ଚବାଚ ହୋଇଥିଲା । ପ୍ରଧାନ ବିଚାରପତିଙ୍କୁ ଧମକ ଦିଅ ନାହିଁ। ମୁଁ ତୁମର ଚାପର ବଶବର୍ତ୍ତୀ ହେବି ନାହିଁ ବୋଲି ଓକିଲ ଜଣଙ୍କୁ କହିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

Comments are closed.