ଜଷ୍ଟିସ୍ ୟୁୟୁ ଲଲିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ଜଷ୍ଟିସ୍ ରମନ୍ନା କଲେ କେନ୍ଦ୍ରକୁ ସୁପାରିସ

ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଲିତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଲଲିତଙ୍କ ନାମ ଆଇନ ମନ୍ତ୍ରଣାଳୟକୁ ସୁପାରିସ କରିଛନ୍ତି। ପରମ୍ପରା ଅନୁଯାୟୀ, ବିଦାୟୀ ପ୍ରଧାନ ବିଚାରପତି ପରବର୍ତ୍ତୀ ପ୍ଧାନ ବିଚାରପତିଙ୍କ ନାମ ସୁପାରିସ କରିଥାନ୍ତି | ଜଷ୍ଟିସ୍ ରମନ୍ନା ୨୬ ଅଗଷ୍ଟରେ ଅବସର ନେଉଛନ୍ତି | ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ୟୁୟୁ ଲଲିତ ମୁସଲମାନମାନଙ୍କ ମଧ୍ୟରେ ‘ଟ୍ରିପଲ୍ ତଲାକ୍’ ପ୍ରଥା ନିଷିଦ୍ଧ କରିବା ସହିତ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ଓକିଲରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ବେଞ୍ଚକୁ ପଦୋନ୍ନତି ପାଇବାରେ ଜଷ୍ଟିସ୍ ୟୁୟୁ ଲଳିତ ଦ୍ବିତୀୟ ପ୍ରଧାନ ବିଚାରପତି ହେବେ । ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍ଏସ୍ ସିକ୍ରି ପ୍ରଥମ ଓକିଲ ଭାବେ ମାର୍ଚ୍ଚ ୧୯୬୪ ରେ ବାରରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠକୁ ପଦୋନ୍ନତି ପାଇଥିଲେ । ଜାନୁଆରୀ ୧୯୭୧ରେ ସେ ୧୩ତମ ପ୍ରଧାନ ବିଚାରପତି ହୋଇଥିଲେ |

ଜଷ୍ଟିସ ଲଲିତ ଅଗଷ୍ଟ ୨୭ରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଜଷ୍ଟିସ ଲଲିତଙ୍କୁ ୧୩ ଅଗଷ୍ଟ ୨୦୧୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା | ସେ ସେତେବେଳେ ଜଣେ ଜଣାଶୁଣା ଓକିଲ ଥିଲେ। ଏହା ପରେ ଜଷ୍ଟିସ୍ ଲଲିତ ସର୍ବୋଚ୍ଚ ନ୍ୟାୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠର ଅଂଶବିଶେଷ ହୋଇଆସିଛନ୍ତି। ଅଗଷ୍ଟ ୨୦୧୭ ରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୩-୨ ସଂଖ୍ୟାଗରିଷ୍ଠତା ଆଧାରରେ ‘ଟ୍ରିପଲ୍ ତଲାକ୍’ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ସେହି ତିନି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଲଲିତ ମଧ୍ୟ ଥିଲେ।

Comments are closed.