ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମାନଙ୍କ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । କୋର୍ଟ ଉପରେ ବଢୁଥିବା ବିଚାରାଧୀନ ମାମଲାର ବୋଝ ପାଇଁ ପ୍ରଧାନ ବିଚାରପତି ସରକାରଙ୍କୁ ଦାୟୀ କରିଛନ୍ତି । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଜଷ୍ଟିସ ରମନ୍ନା କହିଛନ୍ତି ଯେ ସରକାର ହେଉଛନ୍ତି ଦେଶର ସବୁଠାରୁ ବଡ ମକଦ୍ଦମାକାରୀ । ସରକାର ୫୦ ପ୍ରତିଶତରୁ ଅଧିକ ମାମଲାର ପକ୍ଷଭୁକ୍ତ ଅଟନ୍ତି । କୋର୍ଟରେ ବିଚାରାଧୀନ ମାମଲା ବଢୁଥିବା ପ୍ରସଙ୍ଗ ଉଠାଇ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି ଯେ ସରକାର ହେଉଛି ସବୁଠାରୁ ବଡ ମକଦ୍ଦମାକାରୀ। ବେଳେବେଳେ ସରକାର ଜାଣିଶୁଣି ମାମଲାକୁ ଝୁଲାଇ ରଖନ୍ତି | ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ଅଧିକାଂଶ ସମୟ ସରକାର କୋର୍ଟଙ୍କ ଆଦେଶ ପାଳନ କରୁନାହାନ୍ତି । ଯାହା ଫଳରେ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ହେଉଛି ଏବଂ ଏହା ନ୍ୟାୟପାଳିକା ଉପରେ ବୋଝକୁ ଆହୁରି ବଢ଼ାଉଛି ବୋଲି ପ୍ରଧାନ ବିଚାରପତି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ନୀତି ପ୍ରସ୍ତୁତ କରିବା ଆମର କାମ ନୁହେଁ, କିନ୍ତୁ ଯଦି କୌଣସି ନାଗରିକ ଏହି ସମସ୍ୟା ନେଇ ଆସନ୍ତି, ତେବେ ଆମକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ । ଏହାଛଡ଼ା ପ୍ରାୟ ପ୍ରଧାନ ବିଚାରପତି ନ୍ୟାୟାଳୟରେ ଖାଲି ପଡ଼ିଥିବା ପଦ ପୂରଣ ଦିଗରେ ତତ୍ପରତା ଦେଖାଇବାକୁ ସରକାରଙ୍କୁ ଅପିଲ କରିଛନ୍ତି ।
ଏହାଛଡ଼ା ଦେଶର ସବୁ କୋର୍ଟରେ ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାର ବ୍ୟବହାର ଉପରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଗୁରୁତ୍ୱାରୋପ କରିଛନ୍ତି। ଜଷ୍ଟିସ ରମନ୍ନା କହିଛନ୍ତି ଯେ ଆଞ୍ଚଳିକ ଭାଷାରେ ହାଇକୋର୍ଟରେ ଶୁଣାଣି କରାଯିବା ଉଚିତ ଯାହା ଦ୍ଵାରା ସାଧାରଣ ଲୋକଙ୍କ ପାଖରେ ସହଜରେ ନ୍ୟାୟ ପହଞ୍ଚିପାରିବ । ପ୍ରଧାନ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଗକୁ ବଢିବାର ସମୟ ଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଧାନ ବିଚାରପତିଙ୍କ ଏହି ଦାବିକୁ ସମର୍ଥନ କରି କହିଛନ୍ତି ଯେ ସାମାଜିକ ନ୍ୟାୟ ପାଇଁ କେବଳ ନ୍ୟାୟାଳୟ ଯିବା ଯଥେଷ୍ଟ ନୁହେଁ, ଏଥିରେ ଭାଷା ମଧ୍ୟ ଏକ ପ୍ରତିବନ୍ଧକ ସାଜିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଶୁଣାଣି ପ୍ରକ୍ରିୟା ଇଂରାଜୀରେ ଚାଲିଛି। ବର୍ତ୍ତମାନ କୋର୍ଟରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅଛି | ଏହା ସାଧାରଣ ନାଗରିକଙ୍କ ନ୍ୟାୟ ପ୍ରତି ବିଶ୍ଵାସ ବଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା ମଧ୍ୟ କାହିଁକି ସାଧାରଣ ଭାଷାରେ ପଢାଯିବ ନାହିଁ। ସେ କହିଛନ୍ତି ଯେ ଯୁବକମାନଙ୍କ ସାମର୍ଥ୍ୟର ବିକାଶ ପାଇଁ ଆଇନ ଶିକ୍ଷା ଆନ୍ତର୍ଜାତୀୟ ମାନକ ହେବା ଉଚିତ୍। ଏହି ଦିଗରେ ନୂତନ ମାନଦଣ୍ଡ ବିକାଶ କରିବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି, “ନ୍ୟାୟ ହେଉଛି ଶାସନର ଆଧାର। ନ୍ୟାୟ ସରଳ ଏବଂ ଲୋକଙ୍କ ଭାଷାରେ ବୋଧଗମ୍ୟ ହେବା ଉଚିତ୍। ନ୍ୟାୟିକ ଭାଷା ବ୍ୟତୀତ ଏହି ଆଇନ ସାଧାରଣ ନାଗରିକଙ୍କ ଭାଷାରେ ମଧ୍ୟ ରହିବା ଉଚିତ ଯାହା ସାଧାରଣ ନାଗରିକଙ୍କୁ ସହଜରେ ବୁଝାପଡିବ। “
Comments are closed.