ଆସିଆନ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ରାଜ୍ୟରେ ନିବେଶ ପାଇଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଆନର ସଦସ୍ୟ ଥିବା ଦେଶଗୁଡିକର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି । ପ୍ରାକୃତିକ ସମ୍ପଦ ଓ ଭୌଗୋଳିକ ଅବସ୍ଥିତି ପାଇଁ ଓଡିଶା ପୁଞ୍ଜିନିବେଶ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଆଧୁନିକତା ସହ ତାଳ ଦେଇ ଓଡିଶାରେ ମଧ୍ୟ ବୈଷୟିକ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଛି । ଏହିଦୃଷ୍ଟିରୁ ଓଡିଶା ଓ ଆସିଆନ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଉଭୟଙ୍କ ମଧ୍ୟରେ ଆଗାମୀ ଦିନରେ ସାଂସ୍କୃତିକ ସମ୍ପର୍କ ସୃଷ୍ଟି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ମେକ ଇନ ଓଡିଶା କନକ୍ଲେଭରେ ଆସିଆନ ରାଷ୍ଟ୍ର ପକ୍ଷରୁ ଆନ୍ତର୍ଜାତିକ ପ୍ୟାଭିଲିୟନ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେବା ସହ ଏନେଇ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ଅବସରରେ ଭାରତରେ ଅବସ୍ଥାପିତ ଥାଇଲାଣ୍ଡର ରାଷ୍ଟ୍ରଦୂତ ପଟ୍ଟାରାତ୍ ହଙ୍ଗତଙ୍ଗ ରାଜ୍ୟରେ ବ୍ୟବସାୟିକ ସୁଯୋଗକୁ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣରେ ଆସିଆନ ପ୍ରତିନିଧି ଦଳ ତିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ସାଂସ୍କୃତି ଓ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ଦିଗରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆସିଆନ ପ୍ରତିନିଧିମଣ୍ଡଳୀର ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ,୫- ଟି ସଚିବ, ଶିଳ୍ପ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.