ପାଞ୍ଚ ଜଣ ବିଚାରପତିଙ୍କୁ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପାଞ୍ଚ ଜଣ ବିଚାରପତିଙ୍କ ନାମ ସରକାରଙ୍କୁ ପଠାଇଛନ୍ତି।

କଲେଜିୟମ ଦ୍ୱାରା ସୁପାରିଶ ହୋଇଥବା ଏହି ପାଞ୍ଚଜଣ ବିଚାରପତି ହେଉଛନ୍ତି ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ପି.ଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ଜଜ୍ ଜଷ୍ଟିସ ଅହସାନୁଦ୍ଦିନ ଅମାନତୁଲ୍ଲା, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ର | ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୮ ଜଣ ବିଚାରପତି ଥିବାବେଳେ ମୋଟ କ୍ଷମତା ହେଉଛି ୩୪ ଜଣ । କଲେଜିୟମ ଦ୍ଵାରା ସୁପାରିଶ ପାଞ୍ଚ ବିଚାରପତି ଯଦି ନିଯୁକ୍ତ ହୁଅନ୍ତି ତେବେ ସୁପ୍ରିମକୋର୍ଟରେ ମୋଟ ବିଚାରପତି ସଂଖ୍ୟା ୩୩ ହୋଇଯିବ।

କଲେଜିୟମର ସୁପାରିଶକୁ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏକ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡ଼ା ତାଗିଦ୍ କରିଥିଲେ । ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ। ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ ଯେ ସମ୍ବିଧାନ ବେଞ୍ଚ ଦ୍ବାରା କଲେଜିୟମ ଗଠନ ହୋଇଛି । ତେଣୁ ସରକାର ଏହାର ସୁପାରିଶ ଉପରେ ବସି ରହିବା ଠିକ୍ ହେବ ନାହିଁ । ଯଦି ଏହି ଧାରା ଜାରି ରହେ, ତେବେ ସମସ୍ତଙ୍କୁ ଅସୁବିଧା ହେବ |

Comments are closed.