ଚାଲିଗଲେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଆଉ ନାହାଁନ୍ତି କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏହି ଲୋକପ୍ରିୟ ହାସ୍ୟ ଅଭିନେତାଙ୍କ ପରଲୋକ ହୋଇଯାଇଛି ।‌‌ ତାଙ୍କ ପରିବାର ତରଫରୁ ବୁଧବାର ଏହି ଦୁଃଖଦ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ହୃଦଘାତ ଯୋଗୁଁ ଅଗଷ୍ଟ ୧୦ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ହେଲେ ତାଙ୍କ ଚେତା ଫେରିନଥିଲା । ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ସେ ବ୍ରେନ୍ ଡେଡ୍ ଅବସ୍ଥାରେ ପହଞ୍ଚି ଯାଇଥିଲେ । ଡାକ୍ତରମାନଙ୍କ ଯଥାସାଧ୍ୟ ଉଦ୍ୟମ ସତ୍ତ୍ୱେ ଏହି ହାସ୍ୟ ଅଭିନେତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା । ଏହି ଖ୍ୟାତନାମା ହାସ୍ୟ ଅଭିନେତାଙ୍କ ଅକାଳ ବିୟୋଗରେ ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ଅଗଣିତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ରାଜୁ ଶ୍ରୀବାସ୍ତବ ୧୯୮୦ ଦଶକରୁ ମନୋରଞ୍ଜନ ଶିଳ୍ପରେ ସକ୍ରିୟ ରହିଥିଲେ । ତେବେ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲଫ୍ଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜନରେ ଅଂଶଗ୍ରହଣ କରିବା ପରେ ସେ ଲୋକପ୍ରିୟ ହୋଇଥିଲେ। ସେ ‘ମୈନେ ପ୍ୟାର୍ କିୟା’, ‘ବମ୍ବେ ଟୁ ଗୋଆ’ ଏବଂ ‘ଅମଦାନୀ ଅଠନ୍ନୀ ଖର୍ଚ୍ଚ ରୂପୈୟା’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶ୍ରୀବାସ୍ତବ ‘ବିଗ୍ ବସ୍’ ସିଜନ୍-୩ରେ ମଧ୍ୟ ଭାଗ ନେଇଥିଲେ। ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସଭାପତି ଥିଲେ‌‌।

Comments are closed.