ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ସିନ୍ଧୁ

ବର୍ମିଂହମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଗୁରୁବାର ଠାରୁ ବ୍ରିଟେନର ବର୍ମିଂହାମରେ ଆରମ୍ଭ ହେଉଛି । ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଏହି କ୍ରୀଡ଼ା ପାଇଁ ପ୍ରସ୍ତୁତି କରିଥିବା ଆୟୋଜକ ଏକ ସଫଳ ଓ ଭବ୍ୟ ସ୍ପୋର୍ଟିଂ ଇଭେଣ୍ଟ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥର ଭାରତ ଏହି ସଂସ୍କରଣ ପାଇଁ ୩୨୨ ଜଣିଆ ଦଳ ପଠାଇଛି । ଏଥିମଧ୍ୟରୁ ୨୧୫ ଜଣ ଆଥଲେଟ୍ ଥିବା ବେଳେ ୧୦୭ ଜଣ କୋଚିଂ ଷ୍ଟାଫ୍ ଓ ଅଧିକାରୀ ଅଛନ୍ତି । ଗୋଲ୍ଡ କୋଷ୍ଟରେ ୨୦୧୮ରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ପାରମ୍ପରିକ ପାୱାର ହାଉସ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଥିଲା । ହେଲେ ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସୁଟିଂ ଇଭେଣ୍ଟକୁ ବାଦ୍ ଦିଆଯାଇଥିବାରୁ ଭାରତ ପାଇଁ ଟପ୍‌-୫ରେ ରହିବା ଚ୍ୟାଲେଞ୍ଜିଂ ହେବ । କାରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସର୍ବଦା ସୁଟିଂ ଇଭେଣ୍ଟରେ ବହୁ ପଦକ ଜିତିଆସିଛି । ଏଥର ସୁଟିଂ ବିନା ଭାରତର ପଦକ ସଂଖ୍ୟା କମିପାରେ ବୋଲି ଆଶଙ୍କା କରାଯାଉଛି ।

ଗତ ୨୦ ବର୍ଷରେ ବ୍ରିଟେନ ତୃତୀୟ ଥର ପାଇଁ ଏହି ମେଗା ଇଭେଣ୍ଟ ଆୟୋଜନ କରୁଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌)ର ୫୬ ସଦସ୍ୟ ଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ୨୦୨୨ ସଂସ୍କରଣ ଆୟୋଜନ କରିବା ପାଇଁ ନୂଆ ବିଡର ପାଇନଥିଲା । ଦକ୍ଷିଣ ଆଫ୍ରିକା ଶେଷ ମୁହୂର୍ତ୍ତରେ ଓହରିଯିବା ପରେ ବ୍ରିଟେନ ୨୦୨୨ ସଂସ୍କରଣ ଆୟୋଜନ କରିବାକୁ ଆଗେଇ ଆସିଥିଲା ।

ଡବଲ ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଗୁରୁବାର ଠାରୁ ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଘାଟନୀ ଉତ୍ସବରେ ଭାରତର ପତାକା ବାହକ ହେବେ । ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ବୁଧବାର ଏହି ସୂଚନା ଦେଇଛି । ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଭାରତର ଧ୍ୱଜା ବାହକ ହୋଇଥାନ୍ତେ । ହେଲେ ନିକଟରେ ବିଶ୍ୱ ଚାମ୍ପିୟନସିପର ଜାଭେଲିନ୍ ଇଭେଣ୍ଟ ଫାଇନାଲରେ ଆହତ ହେବା ପରେ ଏହି ଷ୍ଟାର ଆଥଲେଟ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ନୀରଜଙ୍କ ଅନୁପସ୍ଥିତିରେ ଏକ ତିନି ଜଣିଆ ସର୍ଟ ଲିଷ୍ଟରୁ ସିନ୍ଧୁଙ୍କୁ ଧ୍ୱଜା ବାହକ ଭାବେ ମନୋନୀତ କରାଯାଇଛି ।

Comments are closed.