ପଞ୍ଜାବ କଂଗ୍ରେସ କଳି: ସିଦ୍ଧୁଙ୍କ ଉପରେ ହାଇକମାଣ୍ଡ କ୍ଷୁବ୍ଧ, ବନ୍ଦ କଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ପରେ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ କ୍ଷୁବ୍ଧ ଥିବା ଜଣାପଡ଼ିଛି । ସିଦ୍ଧୁଙ୍କ ବିରୋଧରେ ଦଳ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିପାରେ। ଇସ୍ତଫା ପରଠାରୁ ଦଳର ନେତୃବର୍ଗ ସିଦ୍ଧୁଙ୍କ ସହ ଏପର୍ଯ୍ୟନ୍ତ କଥାବାର୍ତ୍ତା ବି କରିନାହାଁନ୍ତି, ଯଦିଓ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଦଳ ସିଦ୍ଧୁଙ୍କୁ ସମୟ ଦେବାକୁ ଚାହୁଁଛି, ଯଦି ସେ ଇସ୍ତଫା ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଜିର କ୍ୟାବିନେଟ ବୈଠକରେ ଉପସ୍ଥିତ ନହେଲେ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରାଯାଇପାରେ ବୋଲି କୁହାଯାଇଛି।

ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦଳ ଭିତରେ ବିଦ୍ରୋହ କିପରି ଶାନ୍ତ ହେବ ତାହା ବୁଝିପାରୁ ନାହାନ୍ତି। ଚନ୍ନି ଏକ ଜରୁରୀ ବୈଠକ ଡାକିଛନ୍ତି।

ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ଇସ୍ତଫାର ଧାରା ଆରମ୍ଭ ହୋଇଛି। କ୍ୟାବିନେଟ ମନ୍ତ୍ରୀ ତଥା ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ରଜିଆ ସୁଲତାନା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଇଛି । ପଞ୍ଜାବ କଂଗ୍ରେସର ଦୁଇ ସାଧାରଣ ସଚିବ ଗୌତମ ସେଥ ଏବଂ ଯୋଗୀନ୍ଦର ଢିଙ୍ଗ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି। ଏହା ସହିତ ଗୁଲଜର ଇନ୍ଦର ଚହଲ ପଞ୍ଜାବର କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସିଦ୍ଧୁଙ୍କ ଘରେ ବୈଠକରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ରଜିଆ ସୁଲତାନା ମଧ୍ୟ ଥିଲେ, ସେ ସିଦ୍ଧୁଙ୍କୁ ଜଣେ ଆଦର୍ଶବାନ ବ୍ୟକ୍ତି ଭାବେ ଅଭିହିତ କରିବା ସହ ସେ ପଞ୍ଜାବ ପାଇଁ ଲଢୁଛନ୍ତି ବୋଲି କହିଥିଲେ।

Comments are closed.