କୁଆଡେ଼ ଗଲା ୫୦ ହଜାର କୋଟି ଟଙ୍କା ? ପିଏମ୍ କେୟାର୍ସ ଫଣ୍ଡ୍ ଉପରେ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡର ସ୍ବଚ୍ଛତା ଉପରେ ଉପରେ ପୁଣି ପ୍ରଶ୍ନ ଉଠାଇଛି କଂଗ୍ରେସ। ଏଥିସହ ଏହି ପାଣ୍ଠିକୁ ମିଳିଥିବା ୪୦ ରୁ ୫୦ ହଜାର କୋଟି ଟଙ୍କା କୁଆଡେ ଗଲା ବୋଲି ପଚାରିଛି ‌‌। ଏହି ଟଙ୍କାର ହିସାବ କାହିଁକି ଗୁପ୍ତ ରଖାଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।ପିଏମ କେୟାର୍ସ ଫଣ୍ଡରେ କ’ଣ ଘଟୁଛି ବୋଲି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ୍ ପ୍ରଶ୍ନ କରିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ ଫଣ୍ଡ୍ ଭାରତ ସରକାରଙ୍କ ଏକ ପାଣ୍ଠି ନୁହେଁ | ତେଣୁ ଏହା ସୂଚନା ଅଧିକାର ଆଇନ (ଆରଟିଆଇ) ଅଧୀନରେ ଆସେ ନାହିଁ | ମହାମାରୀ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହା ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା। ହାଇକୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଏହି ରିଲିଫ ପାଣ୍ଠି ଭାରତ ସରକାରଙ୍କ ଅଧୀନରେ ନାହିଁ। ଏହା ଏକ ଚାରିଟେବୁଲ ଟ୍ରଷ୍ଟ ସହିତ ଜଡ଼ିତ, ତେଣୁ ଏଥିରେ ଆସୁଥିବା ଅର୍ଥରାଶି ଭାରତ ସରକାରଙ୍କ ସଞ୍ଚିତ ପାଣ୍ଠି (କନସୋଲିଡେଟେଡ୍ ଫଣ୍ଡ୍) ରେ ଜମା ହୋଇପାରିବ ନାହିଁ |

ଉଲ୍ଲେଖଥାଉ‌ କି ଓକିଲ ସମ୍ୟକ ଗଙ୍ଗୱାଲ ପିଏମ କେୟାର୍ସ ଫଣ୍ଡ୍ ସଂପର୍କରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ସେ ସମ୍ବିଧାନର ଧାରା ୧୨ ଅନୁଯାୟୀ ପିଏମ୍ କେୟାର୍ସ ଫଣ୍ଡକୁ ସରକାରୀ ପାଣ୍ଠି ଘୋଷଣା କରିବାକୁ ଦାବି କରିଥିଲେ। ସେ ମଧ୍ୟ କହିଥିଲେ ଯେ ଏହାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହାକୁ ଆରଟିଆଇ ଅଧୀନରେ ଆଣିବା ଉଚିତ୍।

Comments are closed.