କଂଗ୍ରେସର ଅଭିଯୋଗ: ଖଡ଼ଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି। କଂଗ୍ରେସ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ କରିଛି।

ଚିତ୍ରପୁରର ଜଣେ ବିଜେପି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ଯୋଜନାରେ ଅଛନ୍ତି। ଏନେଇ ସେ ଖୋଲାଖୋଲି ଧମକ ଦେଇଛନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସୁରଜେୱାଲା ଚିତ୍ରପୁରର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡଙ୍କ ଏକ ଅଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ସେ ଖଡ଼ଗେ ପରିବାରକୁ ଶେଷ କରିଦେବେ ବୋଲି କନ୍ନଡ଼ରେ କହୁଥିବା ଶୁଣିବାକୁ ମିଳୁଛି। ରାଥୋଡ ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଏମ ବମ୍ମାଇଙ୍କ ପାଖଲୋକ ବୋଲି ମଧ୍ୟ ସୁରଜେୱାଲା ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ରାଥୋଡ୍ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଂଗ୍ରେସ ଯେଉଁ ଅଡିଓ କ୍ଲିପ୍ କଥା କହୁଛି ତାହା ନକଲି । ଆସନ୍ତା ନିର୍ବାଚନରେ ପରାଜୟ ଭୟ ଯୋଗୁଁ କଂଗ୍ରେସ ଏଭଳି ଅଭିଯୋଗ କରୁଛି ବୋଲି ରାଥୋଡ୍ କହିଛନ୍ତି ।

ଖଡ଼ଗେ ଓ ତାଙ୍କ ପରିବାରକୁ ହତ୍ୟା ନେଇ କଂଗ୍ରେସର ଅଭିଯୋଗ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛୁ । ପୂରା ମାମଲାର ତଦନ୍ତ କରିବୁ ଏବଂ ଯଦି କୌଣସି ଭୁଲ କରାଯାଇଛି କିମ୍ବା କେହି ଏପରି କରିବାକୁ ଚାହୁଁଛି ତେବେ ଆଇନ ତା’ କାମ କରିବ। ”

ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପ୍ରିୟାଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅଯୋଗ୍ୟ ପୁଅ’ ବୋଲି କହିଥିଲେ । ଏହା ବିରୋଧରେ ବିଜେପି ନେତାମାନେ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥିଲେ।

Comments are closed.