କଂଗ୍ରେସକୁ ପୁଣି ୧୭୪୫ କୋଟିର ଆୟକର ନୋଟିସ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗ ତରଫରୁ ଆଉ ଏକ ନୋଟିସ୍ ମିଳିଛି । ସଦ୍ୟତମ ନୋଟିସ୍ ଜରିଆରେ କଂଗ୍ରେସକୁ ୨୦୧୪-୧୫ ରୁ ୨୦୧୬-୧୭ ବର୍ଷ ପାଇଁ ୧,୭୪୫ କୋଟିର ଅନାଦେୟ ଟିକସ ପୈଠ କରିବାକୁ କୁହାଯାଇଛି । ଆୟକର ବିଭାଗ ଏପର୍ଯ୍ୟନ୍ତ କଂଗ୍ରେସକୁ ମୋଟ ୩,୫୬୭ କୋଟିର ଆଦାୟ ନୋଟିସ ପଠାଇ ସାରିଲାଣି ।

ସୂଚନାନୁସାରେ, କଂଗ୍ରେସକୁ ଆୟକର ବିଭାଗର ସଦ୍ୟତମ ନୋଟିସ୍ ୨୦୧୪-୧୫ (ପ୍ରାୟ ୬୬୩ କୋଟି), ୨୦୧୫-୧୬ (ପ୍ରାୟ ୬୬୪ କୋଟି ଟଙ୍କା) ଏବଂ ୨୦୧୬-୧୭ (ପ୍ରାୟ ୪୧୭ କୋଟି ଟଙ୍କା) ବର୍ଷର ଅନାଦେୟ ଟିକସ ସହ ଜଡ଼ିତ ।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ଆୟକର କର୍ତ୍ତୃପକ୍ଷ ରାଜନୈତିକ ଦଳମାନଙ୍କୁ ଦିଆଯାଉଥିବା ‘ଟିକସ ଛାଡ଼’ ସୁବିଧା ଶେଷ କରିଛନ୍ତି । ଦଳ ଉପରେ ଏବେ ଟ୍ୟାକ୍ସ ଲାଗୁ କରାଯାଇଛି।

ତଦନ୍ତକାରୀ ସଂସ୍ଥା ତରଫରୁ ହୋଇଥିବା ରେଡ୍ ସମୟରେ କିଛି କଂଗ୍ରେସ ନେତାଙ୍କଠାରୁ ଜବତ ଡାଏରୀରେ “ତୃତୀୟ ପକ୍ଷ ଏଣ୍ଟ୍ରି” ପାଇଁ ମଧ୍ୟ କଂଗ୍ରେସ ଉପରେ ଟିକସ ଲାଗୁ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ଏହା ପୂର୍ବରୁ ଶୁକ୍ରବାର କଂଗ୍ରେସ ଦାବି କରିଥିଲା ଯେ ଆୟକର ବିଭାଗ ତରଫରୁ ଦଳକୁ ପ୍ରାୟ ୧,୮୨୩ କୋଟିର ନୋଟିସ୍ ଆସିଛି। ଏପରିକି ଆୟକର କର୍ତ୍ତୃପକ୍ଷ ବିଗତ ବର୍ଷର କିଛି ବକେୟା ପାଇଁ ଦଳର ଆକାଉଣ୍ଟରୁ ୧୩୫ କୋଟି ଟଙ୍କା କାଟି ଦେଇଛି। ଏହା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛି । ସୋମବାର ଏହି ମାମଲାର ଶୁଣାଣି ହେବା ସମ୍ଭାବନା ରହିଛି।

ଏହି ମାମଲାରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ଏବଂ ହାଇକୋର୍ଟରୁ ଦଳକୁ କୌଣସି ଆଶ୍ବସ୍ତି ମିଳିନଥିଲା ।

Comments are closed.