‘ହିଜାବ ନ ପିନ୍ଧିବାରୁ ବଳାତ୍କାର ବଢୁଛି’ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଜାମିର ଅହମ୍ମଦ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି। କାହାକୁ ଅସମ୍ମାନ କରିବା କିମ୍ବା ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି। ହିଜାବ ନ ପିନ୍ଧିବାରୁ ମହିଳାଙ୍କ ସହ ବଳାତ୍କାର ବଢୁଛି ବୋଲି ଜମିର କହିଥିଲେ ।

ଜାମିର ଅହମ୍ମଦ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ବଳାତ୍କାର ମାମଲା ବଢ଼ିବରେ ଲାଗିଛି। ବୁର୍ଖା ବା ହିଜାବ ପିନ୍ଧି ଆମେ ଏଭଳି ଘଟଣାକୁ ରୋକି ପାରିବା | କାହାକୁ ଆଘାତ ଦେବା କିମ୍ବା ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ। ମୁଁ ଦୁଃଖିତ ଯଦି ମୋ’ର ମନ୍ତବ୍ୟ କାହାକୁ ଆଘାତ ଦେଇଛି | ସେ କହିଛନ୍ତି, ମୋର ବିଶ୍ୱାସ ଯେ ଆମର ପିତୃପୁରୁଷମାନେ ମହିଳାମାନଙ୍କ ସୁରକ୍ଷା ପାଇଁ ବୁର୍ଖା-ହିଜାବକୁ ବାଧ୍ୟତାମୂଳକ କରିଥିଲେ। ମୋର ମନ୍ତବ୍ୟ ଏହି ବିଶ୍ୱାସ ଉପରେ ଆଧାରିତ ଥିଲା।

କର୍ଣ୍ଣାଟକ କଂଗ୍ରେସ ନେତା ଜାମିର ଅହମ୍ମଦ ହିଜାବ ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଇସଲାମରେ ହିଜାବର ଅର୍ଥ ହେଉଛି ‘ଆବରଣ’ ଏବଂ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁଁ ସେମାନଙ୍କ ସହ ଦୁଷ୍କର୍ମ ହୁଏ। ସେ କହିଥିଲେ, ଯେତେବେଳେ ଝିଅମାନେ ବଡ଼ ହୁଅନ୍ତି ସେମାନେ ନିଜ ସୌନ୍ଦର୍ଯ୍ୟକୁ ହିଜାବରେ ଘୋଡାଇବା ଉଚିତ୍ | ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ଏହାର ଚଳଣି ବର୍ଷ ବର୍ଷ ଧରି ହୋଇଆସୁଛି | ସେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଏପରି କହିଥିଲେ। ହିଜାବ ବିବାଦକୁ ନେଇ କେରଳ ରାଜ୍ୟପାଳ କହିଥିଲେ ଯେ ହିଜାବ ପ୍ରଥା କୁରାନର କୌଣସି ସ୍ଥାନରେ ଉଲ୍ଲେଖ କରାଯାଇନାହିଁ |

Comments are closed.