କଂଗ୍ରେସ ନେତା ପୱନ ଖେରା ଗିରଫ, ପ୍ରଧାନମନ୍ତ୍ରୀଙ୍କ ଉପରେ ମନ୍ତବ୍ୟ ପାଇଁ ଗିରଫ କଲା ଆସାମ ପୋଲିସ

ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେରା ଗିରଫ ହୋଇଛନ୍ତି । ଦଳର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବା ପାଇଁ ଖେରା ଛତିଶଗଡ଼ ଯାଉଥିଲେ । ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ବଳପୂର୍ବକ ଫ୍ଲାଇଟରୁ ଓହ୍ଲାଇ ଗିରଫ କରିଛି ବୋଲି କଂଗ୍ରେସ ଦାବି କରିଛି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ପାଇଁ ଆସାମର ହାଫଲଙ୍ଗରେ ପୋଲିସ ତାଙ୍କ ବିରୋଧରେ ଗତକାଲି ଏକ ମାମଲା ରୁଜୁ କରିଥିଲା । ଆଜି ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି।

ପୱନ ଖେରାଙ୍କୁ ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯିବ । ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡ ପାଇଁ ଆସାମ ପୋଲିସ ଆବେଦନ କରିବ । ଖେରାଙ୍କ ଗିରଫ ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି । କୋର୍ଟ ୩ଟାରେ ଏହି ମାମଲାର ଶୁଣାଣି କରିବେ।

ଆସାମ ପୋଲିସର ଅନୁରୋଧ ପରେ ଦିଲ୍ଲୀ ପୋଲିସ ତାଙ୍କୁ ରାୟପୁର ଯାଉଥିବା ଇଣ୍ଡିଗୋ ବିମାନରୁ ଓହ୍ଲାଇବାକୁ କହିଥିଲା।

ଖେରାଙ୍କୁ ଗିରଫ ପରେ କଂଗ୍ରେସ ନେତାମାନେ ବିମାନବନ୍ଦରର ଏୟାରଷ୍ଟ୍ରିପ୍ ଉପରେ ହିଁ ଧାରଣାରେ ବସିଥିଲେ। ଖେରାଙ୍କୁ ୱାରେଣ୍ଟ ବିନା ଗିରଫ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଓ୍ବନ ଖେରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମକୁ ‘ନରେନ୍ଦ୍ର ଦାମୋଦର ଦାସ ମୋଦୀ’ ପରିବର୍ତ୍ତେ ‘ନରେନ୍ଦ୍ର ଗୌତମଦାସ ମୋଦୀ’ ବୋଲି କହିଦେଇଥିଲେ । ପରେ ଭୁଲ୍ ହେଇଗଲା ବୋଲି କହି ପ୍ରଧାନମନ୍ତ୍ରୀଙ୍କ ନାଁ ସଠିକ୍ ଉଚ୍ଚାରଣ କରିଥିଲେ । ତେବେ ଗୌତମ ଆଦାନୀ ବିବାଦ ଦୃଷ୍ଟିରୁ ଖେରା ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ନାମ ‘ନରେନ୍ଦ୍ର ଗୌତମଦାସ ମୋଦୀ’ ବୋଲି କହିଥିବା ଚର୍ଚ୍ଚା ହୋଇଥିଲା ।

ଖେରା ପ୍ରଧାନମନ୍ତ୍ରୀ ଓ ତାଙ୍କ ବାପାଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରି କ୍ଷମା ମାଗିବାକୁ ଦାବି କରିଥିଲା ବିଜେପି।

Comments are closed.