ବିଜେପିକୁ ଭୋଟ୍ ଦେଉଥିବା ଲୋକଙ୍କୁ ରାକ୍ଷସ କହିଲେ କଂଗ୍ରେସ ନେତା ସୁରଜେୱାଲା

ନୂଆଦିଲ୍ଲୀ: ହରିୟାଣାର କୈଥଲରେ ଏକ ଜନସଭାରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୁରଜେୱାଲା ବିଜେପିକୁ ଭୋଟ ଦେଉଥିବା ଲୋକଙ୍କୁ ରାକ୍ଷସ ବୋଲି କହିଛନ୍ତି । ଏହି କଂଗ୍ରେସ ନେତା କହିଥିଲେ, ଯେଉଁମାନେ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ବିଜେପିର ସମର୍ଥକ, ସେମାନେ ସବୁ ରାକ୍ଷସ ପ୍ରବୃତ୍ତିର ଲୋକ । ସୁରଜେୱାଲାଙ୍କ ଏହି ମନ୍ତବ୍ୟ ନେଇ ତୀବ୍ର ଆପତ୍ତି ଜଣାଇଛି ବିଜେପି ।

ରବିବାର ହରିୟାଣାର କୈଥଲରେ କଂଗ୍ରେସର ‘ଜନ ନେଇ ଆକ୍ରୋଶ ରାଲି’ରେ ରଣଦୀପ ସୁରଜେୱାଲା ଏପରି ବିବାଦୀୟ ବୟାନ ଦେଇଥିଲେ।

ସୁରଜେୱାଲା ତାଙ୍କ ଭାଷଣରେ କହିଥିଲେ, ‘ଚାକିରୀ ନ ଦିଅ, ଅନ୍ତତଃ ପକ୍ଷେ ଚାକିରିରେ ବସିବାକୁ ସୁଯୋଗ ଦିଅ।’

ସୁରଜେୱାଲା କହିଥିଲେ “ମନୋହର ଲାଲ ଖଟ୍ଟର ଏବଂ ଦୁଷ୍ୟନ୍ତ ଚୌଟାଲା ଯୁବକଙ୍କ ଭବିଷ୍ୟତ ବଜାରରେ ନିଲାମ କରି ବିକୁଛନ୍ତି। ଚାକିରୀ ନ ଦିଅ, କିନ୍ତୁ ଅନ୍ତତଃ ପକ୍ଷେ ଏକ ଚାକିରିରେ ବସିବାକୁ ସୁଯୋଗ ଦିଅ । କିନ୍ତୁ ବିଜେପି ଏହି ସୁଯୋଗ ବି ଛଡ଼ାଇ ନେଇଛି | ଯିଏ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ବିଜେପିକୁ ସମର୍ଥନ କରନ୍ତି ସେମାନେ ରାକ୍ଷସ ପ୍ରକୃତିର। ଆଜି ମୁଁ ସେମାନଙ୍କୁ ମହାଭାରତର ଏହି ଦେଶରୁ ଅଭିଶାପ ଦେଉଛି। ”

ସୁରଜେୱାଲାଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି । ଏନେଇ କଂଗ୍ରେସ ଓ ସୁରଜେୱାଲାକୁ ଆକ୍ରମଣ କରିଛି ବିଜେପି ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, କେବଳ ରାକ୍ଷସ ପ୍ରକୃତିର ପରିବାରରୁ ଆସିଥିବା ବ୍ୟକ୍ତି ହିଁ ଏପରି ବୟାନ ଦେଇପାରିବେ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସୁରଜେୱାଲାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଶିବରାଜ କହିଛନ୍ତି, “ଯେତେବେଳେ ମନୁଷ୍ୟର ବିନାଶ ହୁଏ, ପ୍ରଥମେ ତାର ବିବେକ ମରିଯାଏ। ଏହି କଂଗ୍ରେସ ନେତାମାନେ କହୁଛନ୍ତି ଯେ ଲୋକମାନେ ରାକ୍ଷସ, ବିଜେପି ପାଇଁ ଭୋଟ୍ ଦେଇଥିବା କୋଟି କୋଟି ଲୋକ କ’ଣ ରାକ୍ଷସ? ସୋନିଆଜୀ, ରାହୁଲଜୀ ଆପଣ ଲୋକମାନଙ୍କୁ କଣ ରାକ୍ଷାସ ବୋଲି ଭାବନ୍ତି ? ବିଜେପି ଓ‌ ଆମେ ଜନତାଙ୍କୁ ଭଗବାନ ବୋଲି ବିବେଚନା କରୁ |

Comments are closed.