ହିମାଚଳ ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଝଟକା, ଗୋଟିଏ ଲୋକସଭା ଏବଂ ତିନୋଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ

ଡେରାଡୁନ: ହିମାଚଳ ପ୍ରଦେଶ ଉପନିର୍ବାଚନରେ ​​ଶାସକ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ମଣ୍ଡି ଲୋକସଭା ଆସନ ସହ ଦଳକୁ ​​ଫତେହପୁର, ଅରକି ଏବଂ ଜୁବଲ-କୋଟଖାଇ ବିଧାନସଭା ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛ। ଏହି ତିନୋଟି ଆସନକୁ କଂଗ୍ରେସ କବଜା କରିଛି। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଉପନିର୍ବାଚନ ଫଳ ବିଜେପି ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଉପନିର୍ବାଚନ ଫଳାଫଳରୁ ରାଜ୍ୟରେ କଂଗ୍ରେସ ଆଡ଼କୁ ହାଓ୍ବା ବହୁଥିବା ଅନୁମାନ କରାଯାଉଛି ‌।

ଫତେହପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭବାନୀ ସିଂ ୫୭୮୯ ଭୋଟ ବ୍ୟବଧାନରେ ବିଜେପିର ବାଲଦେବ ଠାକୁରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଆୱସ୍ତି ବିଜେପି ପ୍ରାର୍ଥୀ ରତନ ସିଂ ପାଲଙ୍କୁ ଆରକି ବିଧାନସଭା ଆସନରେ ୩୪୪୩ ଭୋଟରେ ପରାସ୍ତ କରିଛନ୍ତି। ଜୁବଲ-କୋଟଖାଇ ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ବାଜି ମାରିନେଇଛି। ଏଠାରେ କଂଗ୍ରେସର ରୋହିତ କୁମାର ସ୍ୱାଧୀନ ପ୍ରାର୍ଥୀ ଚେତନ ସିଂଙ୍କୁ ୬୨୯୩ ଭୋଟରେ ହରାଇଛନ୍ତି।

ମଣ୍ଡି ଲୋକସଭା ଆସନରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତୀଭା ସିଂହ ୮୭୬୬ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବ୍ରିଗେଡିୟର୍ କୁଶଲ ଠାକୁରଙ୍କୁ ପରାସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଏହି ଆସନରେ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲା। ୨୦୧୪ରେ ମଧ୍ୟ ବିଜେପି ଏହି ଆସନରେ ବିଜୟୀ ହୋଇଥିଲା। ବିଜେପି ଏଥର ମଧ୍ୟ ଏହି ଆସନ ଜିତିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଦଳକୁ ନିରାଶ ହେବାକୁ ପଡ଼ିଛି ।

Comments are closed.