ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ, ଆଜି ବିରୋଧୀ ଦଳଙ୍କ ବୈଠକ

ନୂଆଦିଲ୍ଲୀ: ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ଆକ୍ରମଣାତ୍ମକ ହୋଇଛି । କଂଗ୍ରେସ ଆଜି ବିରୋଧୀ ଦଳ ନେତାଙ୍କ ଏକ ବୈଠକ ଡାକିଛି। ଏହାପରେ ଅପରାହ୍ନରେ ସବୁ ବିରୋଧୀ ଦଳ ମିଶି ସଂସଦରୁ ରାଷ୍ଟ୍ରପତି ଭବନକୁ ପଦଯାତ୍ରାରେ କରିବେ। ଦଳ କହିଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସମୟ ଦେବା ପାଇଁ ଅନୁରୋଧ କରାଯିବ । ଏହି ମାମଲାରେ ସୋମବାର ଠାରୁ ସବୁ ପ୍ରମୁଖ ବିରୋଧୀ ଦଳଙ୍କ ସହ ମିଶି କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା ମଧ୍ୟ କରିଛି ।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସାଙ୍ଗିଆ’କୁ ନେଇ ଦେଇଥିବା ଏକ ବୟାନ ନେଇ ତାଙ୍କ ବିରୋଧରେ ଦାୟର ଏକ ଅପରାଧିକ ମାନହାନି ମାମଲାରେ ଗୁରୁବାର ସୁରଟର ଏକ ଅଦାଲତ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ‌ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ତେବେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ଏହି ନିଷ୍ପତ୍ତି ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ତାଙ୍କ ଦଣ୍ଡାଦେଶ ୩୦ ଦିନ ପାଇଁ ସ୍ଥଗିତ ରଖିଥିଲେ । ଦୁଇ ବର୍ଷ ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ପଦ ମଧ୍ୟ ଯିବା ସମ୍ଭାବନା ରହିଛି।

ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡ ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହା କେବଳ ଆଇନଗତ ପ୍ରସଙ୍ଗ ନୁହେଁ, ଏହା ମଧ୍ୟ ଏକ ଗୁରୁତର ରାଜନୈତିକ ପ୍ରସଙ୍ଗ ଯାହା ଆମ ଗଣତନ୍ତ୍ରର ଭବିଷ୍ୟତ ସହ ଜଡିତ। ଏହା ମୋଦୀ ସରକାରଙ୍କ ଆକ୍ରୋଶମୂଳକ ରାଜନୀତି, ଧମକପୂର୍ଣ୍ଣ ରାଜନୀତିର ଏକ ବଡ଼ ଉଦାହରଣ ବୋଲି ସେ କହିଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସୁରଟ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିପାରିବ ଏବଂ ତାଙ୍କ ୱାୟାନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବ। ଏହା ପରେ ନିର୍ବାଚନ ଆୟୋଗ ଏହି ଆସନ ପାଇଁ ଉପନିର୍ବାଚନ ଘୋଷଣା କରିବେ। ଯଦି ତଳେ କୋର୍ଟ ରାୟ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରନ୍ତି ତେବେ ରାହୁଲଙ୍କୁ ଆଶ୍ବସ୍ତି ମିଳିବ । ଯଦି ହାଇକୋର୍ଟ ତଳକୋର୍ଟ ଆଦେଶକୁ କାଏମ ରଖନ୍ତି, ତେବେ ରାହୁଲ ଗାନ୍ଧୀ ଆସନ୍ତା ୮ ବର୍ଷ ପାଇଁ ନିର୍ବାଚନ ଲଢ଼ି ପାରିବେ ନାହିଁ । କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରଟ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଯଦି ହାଇକୋର୍ଟ ଆବେଦନ ଗ୍ରହଣ ନ କରନ୍ତି, ତେବେ ସେମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ।

Comments are closed.