ଆଜି କଂଗ୍ରେସ ସଭାପତି ନିର୍ବାଚନ, ଖଡଗେଙ୍କ ପଲା ଭାରି

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ  ଭୋଟ୍ ଗ୍ରହଣ ହେବ | ଦେଶର ଏହି ସର୍ବପୁରାତନ ଦଳର ମୁଖିଆ ପଦ ପାଇଁ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ।  ଏହି ପଦ ପାଇଁ ଥରୁରଙ୍କ ଅପେକ୍ଷା ଖଡଗେଙ୍କ ପଲା ଭାରି ଜଣାପଡ଼ୁଛି। ୨୪ ବର୍ଷ ପରେ କଂଗ୍ରେସ ଜଣେ ଅଣଗାନ୍ଧୀ ନେତାଙ୍କୁ ଅଧ୍ୟକ୍ଷ ଭାବେ ପାଇବ ।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପୂର୍ବାହ୍ନ ୧୦ଟାରୁ ୪ଟା ମଧ୍ୟରେ ସାରା ଦେଶରେ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି। ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି, ଏଆଇସିସିର ସମସ୍ତ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକମାନେ ଜାତୀୟ ରାଜଧାନୀରେ ୨୪, ଆକବର ରୋଡ୍‌ସ୍ଥିତ ଦଳ ମୁଖ୍ୟାଳୟରେ ଭୋଟ ଦେବା ସମ୍ଭାବନା ଅଛି ଦିଲ୍ଲୀ ମୁଖ୍ୟାଳୟ ଛଡ଼ା ସମସ୍ତ ରାଜ୍ୟର ପିସିସି କାର୍ଯ୍ୟାଳୟରେ ମଧ୍ୟ ଭୋଟଗ୍ରହଣ ହେବ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ସଦସ୍ୟଙ୍କ କହିବା ଅନୁସାରେ ଦେଶରେ ମୋଟ ୩୬ଟି ପୋଲିଂ ଷ୍ଟେସନ ଓ ୬୭ଟି ବୁଥ୍ କରାଯାଇଛି। ପ୍ରତି ୨୦୦ ଭୋଟରଙ୍କ ପାଇଁ ଗୋଟିଏ ଲେଖାଏ ବୁଥ୍ ରାଯାଇଛି। ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଚାଲିଥିବାରୁ ସେଥିରେ ସାମିଲ ଥିବା ପ୍ରାୟ ୪୭ ଜଣଙ୍କ ପାଇଁ ସେଠାରେ ଭୋଟ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସାରା ଦେଶରେ ଇଲେକ୍ଟୋରାଲ କଲେଜର ପ୍ରାୟ ୯୦୦୦ରୁ ଅଧିକ ପ୍ରତିନିଧି ଅଛନ୍ତି। ସେମାନେ ଭୋଟ ଦେବେ। ପ୍ରଥମ ଥର ପାଇଁ ସିଇଏ ଦ୍ବାରା ପ୍ରତିନିଧିମାନଙ୍କୁ ଏକ କ୍ୟୁଆର୍‌-କୋଡ୍ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି ଯେଉଁମାନଙ୍କ ପାଖରେ ଏହି କାର୍ଡ ଅଛି ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଦଳ ପ୍ରାୟ ୬ କୋଟି ନୂଆ ସଦସ୍ୟଙ୍କ ପଞ୍ଜୀକରଣ କରିଛି। କଂଗ୍ରେସ ଡାଟା ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି ୧୪୦ ବର୍ଷରେ ପ୍ରଥମ ଥର ପାଇଁ ଏପରି କ୍ୟୁଆର୍‌-କୋଡ୍ ଯୁକ୍ତ ଆଇଡି ବ୍ୟବସ୍ଥା କରାଯାଇଛି ।  ଗୁପ୍ତ ଭୋଟ ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହେବ।  ଦିନ ୧୦ଟାରୁ ୪ଟା ମଧ୍ୟରେ ଭୋଟ ଗ୍ରହଣ ହେବ।  ୧୭ରେ ଭୋଟ ସରିଲା ପରେ ୧୯ରେ ଗଣତି ହୋଇ ସେହିଦିନ ଫଳ ଘୋଷଣା କରାଯିବ।

Comments are closed.