‘ଯଦି ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ସୁରକ୍ଷିତ ନୁହେଁ, ଦେଶ କିପରି ସୁରକ୍ଷିତ ହେବ?’

ନୂଆଦିଲ୍ଲୀ: କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକିଂ ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ଦିନ ଗୃହରେ ସେ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି। ଚୌଧୁରୀ ଲୋକସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ସୁରକ୍ଷିତ ନୁହେଁ, ତେବେ ଦେଶ କିପରି ସୁରକ୍ଷିତ ରହିବ?

ଚୌଧୁରୀ କହିଛନ୍ତି, ‘ଯଦି ଆମର ପ୍ରଧାନମନ୍ତ୍ରୀଙ୍କ ହ୍ୟାଣ୍ଡେଲ ମଧ୍ୟ ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଟ୍ୱିଟର ହ୍ୟାଣ୍ଡେଲ କିପରି ସୁରକ୍ଷିତ ହେବ … ଯେତେବେଳେ ସରକାର କ୍ରିପ୍ଟୋକରେନ୍ସି ଉପରେ କଟକଣା ଲଗାଇବାକୁ କହୁଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ ଏନେଇ ଟ୍ୱିଟ କରାଯାଉଛି। ସରକାର ଏହାର ଉତ୍ତର ଦେବା ଉଚିତ୍। ‘ କ୍ରିପ୍ଟୋକରେନ୍ସି ସମ୍ବନ୍ଧରେ ସରକାର ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ରବିବାର ଦିନ ହ୍ୟାକ୍ କରାଯାଇଥିଲା ଏବଂ ଟ୍ୱିଟରକୁ ଏହି ମାମଲା ଜଣାଇ ଦିଆଯିବା ପରେ ଆକାଉଣ୍ଟକୁ ତୁରନ୍ତ ସୁରକ୍ଷିତ କରାଯାଇଥିଲା।

Comments are closed.