ବିଜେପି ମୁଖ୍ୟାଳୟରେ ସ୍ୱାଗତ କାର୍ଯ୍ୟକ୍ରମ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ – କହିଲା ତିନି ଯବାନ ସହିଦ୍ ହେବା ଦିନ ଉତ୍ସବ ପାଳୁଛି ବିଜେପି

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀର ସଫଳତା ପାଇଁ ବୁଧବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯକ୍ରମରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ କାଶ୍ମୀରରେ ତିନି ଯବାନ ସହିଦ ହେବା ଦିନ ମୋଦୀଙ୍କ ପାଇଁ ଏଭଳି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ନେଇ ବିଜେପିକୁ ଭର୍ତ୍ସନା କରିଛି କଂଗ୍ରେସ । ବୁଧବାର କାଶ୍ମୀରର ଅନନ୍ତନାଗର କୋକରନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ୍ ହୋଇଥିଲେ।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜାୱାଲା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ସେନା ଓ ପୋଲିସର ତିନି ଅଧିକାରୀ ସହିଦ୍ ହେବା ଦିନ ବିଜେପି ମୁଖ୍ୟାଳୟରେ ଉତ୍ସବ ପାଳନ ଚାଲିଛି।

ସୁରଜେୱାଲା ଏକ୍ସରେ ଲେଖିଛନ୍ତି, “ଜାତୀୟତାବାଦ ଏବଂ ସେନା ପ୍ରତି ଭଲପାଇବାର ବାସ୍ତବତା ଦେଶ ଦେଖୁଛି । ତିନି ସେନା ଏବଂ ପୋଲିସ ଅଧିକାରୀ ଏବଂ କାଶ୍ମୀରରେ ଜଣେ ସୈନିକଙ୍କ ଶହୀଦ ଦିବସରେ ବିଜେପିର ଉତ୍ସବ? ପୁଲୱାମା ଘଟଣା ଦିନ ମଧ୍ୟ ‘ସାହେବ’ ଶୁଟିଂରେ ବ୍ୟସ୍ତ ଥିଲେ, ପୂରା ଦେଶ ଏହା ଦେଖିଥିଲା ! ଭାରତମାତାକୁ ସୁରକ୍ଷା ଦେବାବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ଚାରିଜଣ ଯୋଦ୍ଧାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି | ଦେଶ ତୁମର ବୀରତ୍ବ ପାଇଁ ଗର୍ବିତ | ଭଗବାନ ସେମାନଙ୍କ ପରିବାରକୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ!”

କଂଗ୍ରେସ ୟୁଥ ୱିଙ୍ଗ ସଭାପତି ଶ୍ରୀନିବାସ ବିଭି ମଧ୍ୟ ବିଜେପି କାର୍ଯ୍ୟାଳୟରେ ପିଏମ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଫଟୋ ଏବଂ ସହିଦ୍ ସେନା ଏବଂ ପୋଲିସ କର୍ମଚାରୀଙ୍କ ଫଟୋ ସେୟାର କରି ଲେଖିଛନ୍ତି – “ତାରିଖ: ୧୩ ସେପ୍ଟେମ୍ବର ୨୦୨୩. ଗୋଟିଏ ପଟେ କାଶ୍ମୀରରେ ସେନା କର୍ମଚାରୀଙ୍କ ମୃତଦେହ ଉପରେ ପୁଷ୍ପମାଲ୍ୟ ଓ ଅନ୍ୟ ପଟେ ଏୟା…”

କାଶ୍ମୀରରେ ସହିଦ୍ ହୋଇଥିବା ତିନି ଯବାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି।

ବୁଧବାର ଅନନ୍ତନାଗର କୋକରନାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ କର୍ଣ୍ଣେଲ ମନପ୍ରୀତ ସିଂହ, ୧୯ ରାଷ୍ଟ୍ରୀୟ ରାଇଫଲ୍ସର ମେଜର ଆଶିଷ ଧୋନାକ ଏବଂ ଜମ୍ମୁ କାଶ୍ମୀର ପୋଲିସର ଡିଏସପି ହୁମାୟନ ମୁଜାମିଲ ଭଟଙ୍କ ମୃତ୍ୟୁ ହୋଇଥିଲା ।

ନିଷିଦ୍ଧ ଆତଙ୍କୀ ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ଏହି ସଂଗଠନ ପାକିସ୍ତାନର ଲଶ୍କର-ଏ-ତଇବାର ଏକ ଛାମୁଆ ସଂଗଠନ ବୋଲି କୁହାଯାଉଛି ।

Comments are closed.