ବେତନଭୋଗୀ ଓ ମଧ୍ୟବିତ୍ତଙ୍କ ପ୍ରତି ବିଶ୍ବାସଘାତ, ବଜେଟ୍ ନେଇ କଂଗ୍ରେସର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍-୨୦୨୨ ନେଇ କଂଗ୍ରେସର ପ୍ରତିକ୍ରିୟା ଆସିଛି । କଂଗ୍ରେସ ଏହାକୁ ମଧ୍ୟବିତ୍ତ ଓ ବେତନଭୋଗୀ ବର୍ଗ ପ୍ରତି ବିଶ୍ବାସଘାତ ବୋଲି କହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବଜେଟରେ ବେତନପ୍ରାପ୍ତ ବର୍ଗ, ମଧ୍ୟବିତ୍ତ, ଗରିବ, କୃଷକ, ଯୁବକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ କିଛି ନାହିଁ। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୋଦି ସରକାରଙ୍କ ବଜେଟରେ କିଛି ନାହିଁ। ମଧ୍ୟବିତ୍ତ, ବେତନଭୋଗୀ ଶ୍ରେଣୀ, ଗରିବ ଏବଂ ଅବହେଳିତ ଶ୍ରେଣୀ, ଯୁବକ, କୃଷକ ଏବଂ ଏମ୍ଏସ୍ଏମ୍ଇ ପାଇଁ କିଛି ନାହିଁ |

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍ ନେଇ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଚଳିତ ବର୍ଷର ବଜେଟ୍ କେବଳ ଧନୀ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ, ଗରିବଙ୍କ ପାଇଁ ଏଥିରେ କିଛି ନାହିଁ। ସେମାନେ ପୂର୍ବରୁ ଯାହା କହିଥିଲେ ତାହା ହିଁ ଦୋହରାଇଛନ୍ତି। ସେମାନେ କର୍ପୋରେଟ୍ ଟ୍ୟାକ୍ସ କମାଇଛନ୍ତି, ଏହା ହେଉଛି ଧନୀମାନଙ୍କ ବଜେଟ୍ ବୋଲି ଖଡଗେ କହିଛନ୍ତି ।

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା ଟ୍ୱିଟ୍ କରି କହିଛନ୍ତି ଯେ ମହାମାରୀର ଏହି ଯୁଗରେ ଦରମା କାଟ୍, ଦରଦାମ୍ ବୃଦ୍ଧି ଭିତରେ ଭାରତର ବେତନଭୋଗୀ ବର୍ଗ ଏବଂ ମଧ୍ୟବିତ୍ତ ସରକାରଙ୍କ ଠାରୁ କିଛି ଆଶ୍ବସ୍ତି ଆଶା କରୁଥିଲେ । କିନ୍ତୁ ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ କର ସମ୍ବନ୍ଧୀୟ ପଦକ୍ଷେପରେ ସେମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି।

ଏହା ବେତନ ପ୍ରାପ୍ତ ଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ପ୍ରତି ବିଶ୍ୱାସଘାତକତା ବୋଲି ସେ ଅଭିଯୋଗ କରିଛନ୍ତି। ‘କ୍ରିପ୍ଟୋ କେଏନ’ରୁ ହେବାକୁ ଥିବା ଆୟ ଉପରେ ଟିକସ ଲଗାଇ ବିନା ବିଧେୟକରେ କ୍ରିପ୍ଟୋ କଏନ’କୁ ଆଇନସିଦ୍ଧ କରିଛନ୍ତି କି ବୋଲି ସୁରଜେୱାଲା ପ୍ରଶ୍ନ ମଧ୍ୟ କରିଛନ୍ତି।

ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବଜେଟ୍-୨୦୨୨କୁ ନୈରାଶ୍ୟଜନକ ବୋଲି କହିଛନ୍ତି । ସାଧାରଣ ନାଗରିକଙ୍କ ପାଇଁ ବଜେଟରେ କିଛି ନାହିଁ ବୋଲି ସେମାନେ କହିଛନ୍ତି ।

Comments are closed.