ସମ୍ବିଧାନ ପରିବର୍ତ୍ତନ ପ୍ରସଙ୍ଗ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସବୁ ଥାନାରେ ଏତଲା ଦେବ ରାଜ୍ୟ କଂଗ୍ରେସ

ହାଇଦ୍ରାବାଦ: ଦେଶର ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଆହ୍ବାନକୁ ନେଇ ବିବାଦ ତେଜିବାରେ ଲାଗିଛି । ଏବେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି । ଏହାଛଡ଼ା ରାଜ୍ୟ କଂଗ୍ରେସ ରାଜ୍ୟର ସମସ୍ତ ପୋଲିସ ଥାନାରେ କେସିଆରଙ୍କ ବିରୋଧରେ ଏତଲା ଦେବ ବୋଲି କହିଛି ।

ରାଜ୍ୟ କଂଗ୍ରେସ ସଭାପତି ତଥା ସାଂସଦ ଏ.ରେବନାଥ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ସମ୍ବିଧାନରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ରାଓଙ୍କ ପ୍ରସ୍ତାବ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି)ର ବିଚାର ଯାହାର ପ୍ରସାର ପାଇଁ ଉଦ୍ୟମ ହେଉଛି । ରେଡ୍ଡୀ କହିଛନ୍ତି ଯେ ୨୦୦୦ରେ ସମ୍ବିଧାନର ପୁନଃ ଲିଖନ ପାଇଁ ବିଜେପି ଭେଙ୍କଟାଚଲା କମିଟି ଗଠନ କରିଥିଲା। ବର୍ତ୍ତମାନ ବିଜେପି କିମ୍ବା ମୋଦିଙ୍କ ପ୍ରଭାବରେ ସମ୍ବିଧାନ ପରିବର୍ତ୍ତନ କରିବାକୁ କେସିଆର ଏକ ବୟାନ ଦେଇ ଆସୁଛି ।

ରେଡ୍ଡୀ କହିଛନ୍ତି ଯେ ଭାରତର ସମ୍ବିଧାନ ବାଇବଲ, ଭଗବଦ୍ ଗୀତା ଏବଂ କୁରାନ ଭଳି ପବିତ୍ର ଅଟେ। ରେଡ୍ଡୀ କହିଛନ୍ତି ଯେ ହାଇଦ୍ରାବାଦରେ ଗଣତନ୍ତ୍ର ଦିବସ ପାଳନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ସମ୍ବିଧାନ ପରିବର୍ତ୍ତନ ବିଷୟରେ ଆଲୋଚନା କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ସିଏମ୍ କେସିଆର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଦେଶମାନଙ୍କ ଦ୍ୱାରା ପ୍ରଭାବିତ ଯେଉଁଠାରେ ଗଣତନ୍ତ୍ରକୁ ସମ୍ବିଧାନ ବଦଳାଇ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ମୋଦି ଏବଂ କେସିଆର ଭାରତରେ ସମ୍ବିଧାନ ପରିବର୍ତ୍ତନ କରି ଚୀନ୍, ରୁଷ୍ ଏବଂ ଉତ୍ତର କୋରିଆର ମଡେଲକୁ ବଦଳାଇବାକୁ ଚାହୁଁଛନ୍ତି ଯାହା ଦ୍ଵାରା ସେମାନେ ଏକଛତ୍ରବାଦୀ ଶାସନ କାର୍ଯ୍ୟକାରୀ କରିପାରିବେ। ମୋଦି ଏବଂ କେସିଆର ଡକ୍ଟର ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନର ବିରୋଧୀ ବୋଲି ରେଡ୍ଡୀ ଅଭିଯୋଗ କରିଛନ୍ତି ।

Comments are closed.