ଦରବୃଦ୍ଧି ଓ ବେକାରୀ ବିରୋଧରେ ଆଜି କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ଏବଂ ବେକାରୀ ସମସ୍ୟା ବିରୋଧରେ କଂଗ୍ରେସ ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ । ଏହା ସହ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ସଦସ୍ୟ ତଥା ଦଳର ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟ ‘ଘେରାଉ’ କରିବେ । ସୂଚନାନୁସାରେ, ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ସଂସଦ ଗୃହରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବେ। ସବୁ ରଜ୍ୟରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ।

କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବା ପାଇଁ ଯୋଜନା କରିଛି, ଯେଉଁଥିରେ ସିଡବ୍ଲ୍ୟୁଡିସି ସଦସ୍ୟ ତଥା ବରିଷ୍ଠ ନେତାମାନେ ଯୋଗଦେବେ। ସିଡବ୍ଲ୍ୟୁଡିସି ହେଉଛି କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ କମିଟି। ଏହାଛଡ଼ା ସବୁ ରାଜ୍ୟରେ ‘ରାଜ ଭବନ ଘେରାଉ’ ମଧ୍ୟ କରାଯିବ । ଏଥିପାଇଁ ଦଳ ଏହାର ସବୁ ରାଜ୍ୟ ଶାଖା ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ‘ରାଜ ଭବନ ଘେରାଉ’ରେ ରାଜ୍ୟର ସବୁ କଂଗ୍ରେସ ବିଧାୟକଙ୍କ ସହ ବିଧାନ ପରିଷଦ ସଦସ୍ୟ, ପୂର୍ବତନ ସାଂସଦ ଓ ରାଜ୍ୟ କଂଗ୍ରେସର ନେତାମାନେ ସାମିଲ ହେବେ |

ସୂତ୍ରରୁ ପ୍ରକାଶ ଯେ ପଞ୍ଚାୟତ ଠାରୁ ଜିଲ୍ଲା ସ୍ତର ଯାଏଁ କଂଗ୍ରେସ ପ୍ରତିନିଧୀମାନେ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବେ ଏବଂ ଜେଲ୍ ଭରୋ ଆନ୍ଦୋଳନ କରିବେ। ଦେଶରେ କ୍ରମାଗତ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ କଂଗ୍ରେସ ଜୋରଦାର ବିରୋଧ କରୁଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମୁଦ୍ରାସ୍ଫୀତି ଉପରେ ଗୃହରେ ମଧ୍ୟ ସରକାରଙ୍କୁ ଘେରିଥିଲେ ।

Comments are closed.