‘ଭାରତ ଯୋଡୋ’ ଯାତ୍ରା ପାଇଁ ଚାନ୍ଦା ନଦେବାରୁ ପରିବା ବିକାଳିଙ୍କ ଦୋକାନ ଭାଙ୍ଗିଲେ କଂଗ୍ରେସ କର୍ମୀ

କୋଚି: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରା ପୁଣିଥରେ ଚର୍ଚ୍ଚାରେ ରହିଛି । ‘ଭାରତ ଯୋଡୋ’ ଯାତ୍ରା ପାଇଁ ଚାନ୍ଦା ନ ଦେବାରୁ କଂଗ୍ରେସ କର୍ମୀମାନେ କେରଳ କୋଲାମର ଜଣେ ପରିବା ବ୍ୟବସାୟୀଙ୍କ ଦୋକାନରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଦୋକାନୀଙ୍କ ନାମ ଏସ୍ ଫାୱାଜ୍ ଏବଂ ସେ କୋଲାମରେ ଏକ ପନିପରିବା ଦୋକାନ କରିଛନ୍ତି | ଭଙ୍ଗାରୁଜା କରିବାର ଭିଡିଓ ସାମ୍ନାକୁ ଆସିବା ପରେ କେରଳ କଂଗ୍ରେସ ସଭାପତି କେ.ସୁଧାକରନ୍ ତିନି ଦଳୀୟ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି।

ଫାୱାଜ କହିଛନ୍ତି ଯେ ସେପ୍ଟେମ୍ବର ୧୪ରେ କିଛି ସ୍ଥାନୀୟ କଂଗ୍ରେସ ନେତା ତାଙ୍କ ଦୋକାନକୁ ଆସି “ଭାରତ ଯୋଡୋ’ ଯାତ୍ରା ପାଇଁ ଚାନ୍ଦା ମାଗିଥିଲେ। ମୁଁ ୫୦୦ ଟଙ୍କା ଦେଲି, କିନ୍ତୁ ସେମାନେ ଦୁଇ ହଜାର ଟଙ୍କା ଦାବି କରିଥିଲେ | ଯେତେବେଳେ ମୁଁ ଏତେ ଟଙ୍କା ଦେବାକୁ ମନା କରିଥିଲି, କଂଗ୍ରେସ କର୍ମୀମାନେ ମୋ ଦୋକାନରେ ଭଙ୍ଗାରୁଜା କରିବା ସହ ପନିପରିବା ରାସ୍ତାରେ ଫିଙ୍ଗି ଦେଇଥିଲେ।

କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗିରିର ଶିକାର ହୋଇଥିବା ଦୋକାନୀ ଏ ସମ୍ପର୍କରେ କୁନିକୋଡି ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି, ଦୋକାନ ଭାଙ୍ଗିଥିବା ଲୋକଙ୍କ ମଧ୍ୟରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅନିସ ଖାନ ମଧ୍ୟ ଥିଲେ। ଖାନ ତାଙ୍କର ପାଞ୍ଚଜଣ ସାଥୀଙ୍କ ସହ ତାଙ୍କ ଦୋକାନରେ ପହଞ୍ଚିଥିଲେ। ଦାବି ମୁତାବକ ଚାନ୍ଦା ନ ଦେବାରୁ ସେମାନେ ଦୋକାନରେ ଭଙ୍ଗାରୁଜା କରିଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

କେରଳ କଂଗ୍ରେସ ସଭାପତି କେ.ସୁଧାକରନ୍ କହିଛନ୍ତି- ଆମେ ଅନ୍ୟ ଦଳ ପରି କର୍ପୋରେଟ୍ ପାଣ୍ଠିରୁ ଟଙ୍କା ନେଉନାହୁଁ। ଆମେ ଅଳ୍ପ ପରିମାଣର ଚାନ୍ଦା ଗ୍ରହଣ କରୁ, ଯାହାକୁ ଲୋକମାନେ ନିଜ ଇଚ୍ଛାରେ ଦିଅନ୍ତି | କୋଲାମ ଘଟଣାରେ ସମ୍ପୃକ୍ତ ତିନିଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ଆମର ବିଚାରଧାରାକୁ ପ୍ରତିନିଧିତ୍ୱ କରନ୍ତି ନାହିଁ ଏବଂ ସେମାନଙ୍କର ଏପରି ଆଚରଣ ଠିକ୍ ନୁହେଁ।

Comments are closed.